Categories: ଗଞ୍ଜାମ

ଇରାନିଆନ ଗ୍ୟାଙ୍ଗ ମାଷ୍ଟରମାଇଣ୍ଡ ସିକନ୍ଦର ଗିରଫ : ୮ ଘଟଣାର ପର୍ଦ୍ଦାଫାଶ, କର୍ନାଟକ ଯିବ ଏକ ଟିମ୍‌

ବ୍ରହ୍ମପୁର ଅଫିସ,୩ା୧୦-ବ୍ରହ୍ମପୁର ପୋଲିସ ମଙ୍ଗଳବାର କର୍ନାଟକ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଲୁଟ୍‌ କରୁଥିବା ଓ ପରେ ଓଡିଶାରେ ଡକାୟତି ଚଳାଇଥିବା ଇରାନିଆନ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ସିକନ୍ଦର ଅଲିିଙ୍କୁ ଗିରଫ କରିଛିି। ମଙ୍ଗଳବାର ରାତିରେ ଗୋଷାଣୀନୂଆଗଁା ପୋଲିସ ଅନ୍ଧପସରା ରୋଡ଼ରେ ଗାଡି ଚେକିଂ କରୁଥିବା ବେଳେ ସିକନ୍ଦରଙ୍କୁ ଧରି ତାଙ୍କ ଗାଡି କାଗଜପତ୍ର ଯାଞ୍ଚ କରିଥିଲା। ପରେ ସେ ଜଣେ ଆନ୍ତଃ ରାଜ୍ୟ ଲୁଟେରା ସହ ଇରାନିଆନ ଗ୍ୟାଙ୍ଗ ମୁଖ୍ୟ ବୋଲି ପୋଲିସ ଜାଣିବାକୁ ପାଇଥିଲା। ସହର ତଥା ପଡୋଶୀ ଆନ୍ଧ୍ରପ୍ରଦେଶରେ ବର୍ଷକ ମଧ୍ୟରେ ପୋଲିସ ପରିଚୟ ଦେଇ ଲୁଟ ହୋଇଥିବା ୮ ଘଟଣାର ବ୍ରହ୍ମପୁର ପୋଲିସ ବୁଧବାର ପର୍ଦ୍ଦାଫାଶ କରିଛି। ଏନେଇ ଗୋଷାଣୀନୂଆଗଁା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଅତିରିକ୍ତ ଏସ୍‌ପି ପ୍ରଭାତ ରାଉତରାୟ ଏହି ସୂଚନା ଦେଇଛନ୍ତି। ସିକନ୍ଦରଙ୍କ ଘର କର୍ନାଟକର ବିଦର ଜିଲା ଗାନ୍ଧିଗଞ୍ଜ ଥାନା ଅନ୍ତର୍ଗତ ହୁସେନ କଲୋନୀ ବୋଲି ସେ କହିଛନ୍ତି। ମାମଲା ନଂ. ୬୯/୧୯ରେ ସିକନ୍ଦରଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ କର୍ନାଟକ ଯିବ ବୋଲି ଅତିରିକ୍ତ ଏସ୍‌ପି ରାଉତରାୟ ସୂଚନା ଦେଇଛନ୍ତି।