ଇପିଏଫ୍‌ ପେନସନର୍ସଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ, ୧୨।୨-ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ୍‌ ଆହ୍ବାନରେ ବାଲେଶ୍ୱର ଶାଖା ପକ୍ଷରୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଦୀର୍ଘବର୍ଷ କାର୍ଯ୍ୟ କରି ଅବସର ନେବା ପରେ ଇପିଏଫ୍‌ରୁ ପେନ୍‌ସନ ପାଉଥିବା ଶହ ଶହ କର୍ମଚାରୀ ୪ଦଫା ଦାବିରେ ମଙ୍ଗଳବାର ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ମାସିକ ସର୍ବନିମ୍ନ ପେନ୍‌ସନ ଏକହଜାର ପରିବର୍ତ୍ତେ ୯ ହଜାର ଟଙ୍କା ପ୍ରଦାନ, ମାସିକ ବେତନ ଅନୁପାତରେ ହାଇକୋର୍ଟଙ୍କ ଆଦେଶ ଅନୁଯାୟୀ ବର୍ଦ୍ଧିତ ପେନସନ୍‌ ପ୍ରଦାନ, ମହଙ୍ଗା ଭତ୍ତା ଓ ସରକାରୀ ସ୍ବାସ୍ଥ୍ୟବୀମା ଯୋଜନାରେ ସେବା ଯୋଗାଇ ଦେବାକୁ ଦାବି କରାଯାଇଛି।
ସହରସ୍ଥିତ ଫକୀରମୋହନ ଗୋଲେଇଠାରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ପେନସନରର୍ସମାନେ ଜିଲାପାଳଙ୍କ ଫାଟକ ନିକଟରେ ପହଞ୍ଚତ୍ଥିଲେ। ସମାବେଶରେ ଜିଲା କମିଟି ସଭାପତି ଇଂ. ଅନାଦି ଚରଣ ବେହେରା ଅଧ୍ୟକ୍ଷତା କରିଥିଲେ। ଜିଲା ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ୪ ଦଫା ଦାବିର ଯଥାର୍ଥତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ। ବିକ୍ଷୋଭକାରୀଙ୍କ ଦାବିକୁ ସମର୍ଥନ କରି ଏଆଇଟିୟୁସିର ସଭାପତି ଭାଗବତ ପ୍ରତିହାରୀ ଓ ପ୍ରସ୍ତାବିତ ଆନ୍ଦୋଳନକୁ ଦୃଢ଼ ସମର୍ଥନ ଜଣାଇଥିଲେ। ସଙ୍ଗଠନର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଇଂ. ଉଜ୍ଜ୍ୱଳ କୁମାର ଚାନ୍ଦ, ଗୌରଚନ୍ଦ୍ର ଦାଶ, ଭବେନ୍ଦ୍ର କର, ମାୟାଧର ନାୟକ ଓ ଇଂ. ସୁଶୀଲ ବାରିକ ପ୍ରମୁଖ ହାଇକୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ନିବେଦନ କରିଥିଲେ। ଆସନ୍ତା ଦିନରେ ରାଜଭବନ ସମ୍ମୁଖ ଓ ସଂସଦ ଭବନ ସମ୍ମୁଖ ସମାବେଶରେ ସମସ୍ତ ପେନସନର୍ସମାନେ ଯୋଗଦେବାକୁ ସମାବେଶରେ ଆହ୍ବାନ ଦିଆଯାଇଛି। ଶୋଭାଯାତ୍ରା ଓ ବିକ୍ଷୋଭରେ ଶ୍ୟାମସୁନ୍ଦର ଜେନା, ସମରେନ୍ଦ୍ର ନାଥ ଦାସ, ଶରତ ଦଳାଇ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବଂଶୀଧର ନାୟକ, ନିତ୍ୟାନନ୍ଦ ନଟ ପ୍ରମୁଖ ନେତୃତ୍ୱ ନେଇଥିଲେ।