‘ଇନ୍‌ ମେମୋରି ଅଫ୍‌ ବାପୁ’ ଶ୍ରେଷ୍ଠ ଫିଲ୍ମ

ଭୁବନେଶ୍ୱର,୫ା୩(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଡକ୍ସନ ହାଉସ୍‌ ‘ସ୍ପର୍ଶ’ ପକ୍ଷରୁ ‘ଇଗ୍‌ନାଇଟ୍‌ ଶର୍ଟ ଫିଲ୍ମ ଫେଷ୍ଟିଭାଲ୍‌-୨୦୨୦’ର ତୃତୀୟ ସଂସ୍କରଣ ବୁଧବାର ନୟାପଲ୍ଲୀସ୍ଥିତ ୟୁସିସିଆଇ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ‘ଗାନ୍ଧୀଙ୍କ ଜୀବନ ଦର୍ଶନ’ ଉପରେ ଆଧାରିତ ଏହି ଫେଷ୍ଟିଭାଲରେ ମହାତ୍ମା ଗାନ୍ଧୀଙ୍କୁ ନେଇ ନିର୍ମିତ ଫିଲ୍ମଗୁଡ଼ିକ ସାମିଲ ହୋଇଥିଲା। ଫିଲ୍ମଗୁଡ଼ିକ ସମାଜକୁ ସଚେତନ କରିବା ସହ ଗାନ୍ଧିଜୀଙ୍କ ଆଦର୍ଶକୁ ଉଜ୍ଜୀବିତ ରଖିବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ପୁରସ୍କାର ବିତରଣ ସମାରୋହରେ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର, ସନ୍ଦୀପ ସାହୁ ଏବଂ ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମନିର୍ମାତା ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ। ଯୁବ ଫିଲ୍ମ ନିର୍ମାତା ଶେଖ୍‌ ଗୁଲ୍‌ଜାର ହୁସେନ୍‌ ‘ଇନ୍‌ ମେମୋରି ଅଫ୍‌ ବାପୁ’ ଫିଲ୍ମ ପାଇଁ ପ୍ରଥମ ପୁରସ୍କାର ଲାଭ କରିବାସହ ୨୦ ହଜାର ଟଙ୍କାର ପୁରସ୍କାର ରାଶି ଗ୍ରହଣ କରିଥିଲେ। ସେହିଭଳି ଅନ୍ୟତମ ଯୁବ ଫିଲ୍ମନିର୍ମାତା ସଂଗ୍ରାମ କେଶରୀ ‘ଗାନ୍ଧୀ ଆଉ ନାହାନ୍ତି’ ଫିଲ୍ମ ପାଇଁ ପ୍ରଥମ ରନର୍ସଅପ୍‌ ଓ ଜ୍ଞାନରଞ୍ଜନ ସାଥୁଆ ‘ସ୍ବଚ୍ଛ ସଙ୍କଳ୍ପ’ ଫିଲ୍ମ ପାଇଁ ଦ୍ୱିତୀୟ ରନର୍ସଅପ୍‌ ପୁରସ୍କାର ପାଇଥିଲେ। ଏହି ଅବସରର ସାମ୍ବାଦିକ ସମ୍ପଦ ମହାପାତ୍ର କହିଥିଲେ, ପରିବେଶ ଓ ସ୍ବାସ୍ଥ୍ୟ ଉପରେ ଚଳଚ୍ଚିତ୍ର ନିର୍ମାଣ କରିବା ସହଜ, ହେଲେ ଅତୀତ ଘଟଣା ଆଧାରିତ ଫିଲ୍ମ କରିବା କଷ୍ଟସାଧ୍ୟ। ୧୦୦ ବର୍ଷ ପୁରୁଣା ଘଟଣା ଉପରେ ଫିଲ୍ମ ନିର୍ମାଣ କରି ଏହି ଯୁବ ନିର୍ମାତାମାନେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି ବୋଲି ସେ କହିଥିଲେ। ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ପ୍ରତିଯୋଗୀଙ୍କ ସଂଖ୍ୟା କମ୍‌ ଥିଲା। ହେଲେ ଯେତିକି ବି ଫିଲ୍ମ ଆସିଥିଲା ତାହାମଧ୍ୟରୁ ଶ୍ରେଷ୍ଠ ଫିଲ୍ମ ବାଛିବା ଆମପାଇଁ କଷ୍ଟକର ଥିଲା ବୋଲି ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ କହିଥିଲେ।