‘ଇତିହାସରୁ ଉଦାହରଣ ସୃଷ୍ଟି କରିଆସୁଛି ନାରୀ’

ଅନୁଗୋଳ ଅଫିସ୍‌, ୯।୩ : ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଥିବା ସେମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପୂର୍ବାହ୍ନରେ ଜିଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏଥିରେ ଜିଲା ସମାଜ ମଙ୍ଗଳ, ଜିଲା ଶିଶୁ ସୁରକ୍ଷା ୟୁନିଟ ଓ ଜେଏସ୍‌ପିଏଲ୍‌ ଫାଉଣ୍ଡେଶନର ମିଳିତ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ ମନୋଜ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ଇତିହାସରେ ରାଣୀ ଲକ୍ଷ୍ମୀବାଈଙ୍କଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଅନେକ ମହିଳା ବିଭିନ୍ନ କ୍ଷେତ୍ରରେ ସ୍ବତନ୍ତ୍ର ଛାପ ଛାଡି ଉଦାହରଣ ସୃଷ୍ଟି କରିଆସୁଛନ୍ତି। ତେଣୁ ନାରୀ କେବେ ବି ଅବଳା ବା ଦୁର୍ବଳା ନୁହେଁ ବୋଲି ସେ ମତ ପ୍ରକାଶ କରିଥିଲେ। ଏଥିସହ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସ୍ବାସ୍ଥ୍ୟ ଭିତ୍ତିକ ଯୋଜନା ଓ ଅନ୍ୟାନ୍ୟ ସରକାରୀ ଯୋଜନା ସଫଳ କରାଇବାରେ ମହିଳାମାନଙ୍କର ବିଶେଷ ଭୂମିକା ରହିଥିବା ଜିଲାପାଳ କହିଥିଲେ। ରାଜ୍ୟ ତଥା ଦେଶର ପ୍ରଗତିରେ ସେମାନେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ। ଏଥିସହ ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱ ସ୍ତରରେ ସବୁଠାରୁ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିବା କରୋନା ଭାଇରସ୍‌ ସମ୍ପର୍କରେ ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇବାକୁ ଜିଲାପାଳ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟାପିକା ଡ. ଇନ୍ଦିରା ଦାସ, ଜିଲା ସମାଜ ମଙ୍ଗଳ ବିଭାଗର ସ୍ଥାନୀୟ ଅଭିଯୋଗ କମିଟିର ଅଧ୍ୟକ୍ଷା ଅର୍ଚ୍ଚନା ପଟ୍ଟନାୟକ, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶରତ ଚନ୍ଦ୍ର ସେଠୀ, ପୋଲିସ ଇନ୍ସପେକ୍ଟର ଯାଜ୍ଞସେନୀ ପ୍ରଧାନ, ଜିଲା ମୁଖ୍ୟ ଚିକିତ୍ସାଳୟର ୱାନ ଷ୍ଟପ୍‌ ସେଣ୍ଟର ସଖୀର ସସ୍ମିତା ସାହୁ, ଜେଏସ୍‌ପିଏଲ୍‌ (ସିଏସ୍‌ଆର୍‌)ର ଜେନେରାଲ ମ୍ୟାନେଜର ପୁଷ୍ପଲତା ଶତପଥୀ ପ୍ରମୁଖ ଯୋଗଦେଇଥିଲେ। ଆଇସିଡିଏସ୍‌ର ପ୍ରୋଗ୍ରାମ ଅଫିସର ପୌର୍ଣ୍ଣମାସୀ ରଥ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ। ଏହି ଉପଲକ୍ଷେ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନରେ ଜିଲାପାଳଙ୍କ ସମେତ ଅନ୍ୟ ସମସ୍ତ ପଦାଧିକାରୀ ଓ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦସ୍ତଖତ କରିଥିଲେ। ବିଭିନ୍ନ ଆୟ ଉତ୍ପାଦନକାରୀ କାର୍ଯ୍ୟରେ ସଫଳତା ହାସଲ କରିଥିବା ସ୍ବୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ପୁରସ୍କୃତ କରାଯାଇଥିଲା।