Categories: ଖେଳ

ଇଣ୍ଡୋ-ପାକ୍‌ କ୍ୱାଲିଫାୟର ୟୁରୋପରେ ନୁହେଁ: ଏଫ୍‌ଆଇଏଚ୍‌

ନୂଆଦିଲ୍ଲୀ, ୪ା୯ (ପି.ଟି.)-ୟୁରୋପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇଂ ମ୍ୟାଚ ଖେଳାଯିବା କୌଣସି ଯୋଜନା ନ ଥିବା ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇ୍‌ଏଚ୍‌) ସ୍ପଷ୍ଟ କରିଛି। ସୂଚନାଯୋଗ୍ୟ, ବର୍ତ୍ତମାନ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ରାଜନୈତିକ ଉତ୍ତେଜନା ଦେଖା ଦେଇଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଅଲିମ୍ପିକ କ୍ୱାଲିଫାଇଂ ମୁକାବିଲା ୟୁରୋପରେ କରିବା ଲାଗି ବିଚାର ଚାଲିଥିବା ପାକିସ୍ତାନ ହକି ଫେଡେରେଶନ (ପିଏଚ୍‌ଏଫ୍‌)ର ଜଣେ ଅଫିସିଆଲ ଗତ ସପ୍ତାହରେ କହିଥିଲେ। ମାତ୍ର ଏଫ୍‌ଆଇଏଚ୍‌ ମଙ୍ଗଳବାର ତାହାକୁ ଖଣ୍ଡନ କରିଛି। ପିଏଚ୍‌ଏଫ୍‌ର ଜଣେ ଅଫିସିଆଲ ଯାହା କହିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ। ସେପ୍ଟେମ୍ବର-ଅକ୍ଟୋବରରେ ହେବାକୁଥିବା କ୍ୱାଲିଫାୟର୍ସରେ ଉଚ୍ଚସ୍ତରୀୟ ଟିମ୍‌ ନୀଚସ୍ତରର ଟିମ୍‌ ପରସ୍ପରକୁ ଭେଟିବେ। ପାକିସ୍ତାନ ଓ ଭାରତ ଇତିମଧ୍ୟରେ ଏ କ୍ୱାଲିଫାଇଂ ଟୁର୍ନାମେଣ୍ଟ ଜିତି ସାରିଥିବାରୁ ଡ୍ର’ରେ ଉଭୟେ ପରସ୍ପରକୁ ଭେଟିପାରନ୍ତି। କ୍ୱାଲିଫାଇଂ ଟୁର୍ନାମେଣ୍ଟରେ ପାକିସ୍ତାନ, ଇଜିପ୍ଟ, ଦକ୍ଷିଣ କୋରିଆ, ସ୍ପେନ, ଜର୍ମାନୀ, ନ୍ୟୁଜିଲାଣ୍ଡ, ଭାରତ ଏବଂ ଅନ୍ୟ କେତୋଟି ଦଳ ଭାଗନେବେ। ଦୁଇ ପାଦ ବିଶିଷ୍ଟ ଅଲିମ୍ପିକ କ୍ୱାଲିଫାୟରରେ ଭାରତ କେଉଁ ଦଳକୁ ଭେଟିବ ତାହା ସେପ୍ଟେମ୍ବର ୯ରେ ସୁଇଜରଲାଣ୍ଡର ଲାଉସାନେସ୍ଥିତ ଏଫ୍‌ଆଇଏଚ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଡ୍ର ଅନୁଷ୍ଠିତ ହେବ। ୮ଟି ଶୀର୍ଷ ର଼୍ୟାଙ୍କିଙ୍ଗ ଦଳ ମ୍ୟାଚଗୁଡ଼ିକ ଆୟୋଜନ କରିବେ। ଯଦି ଡ୍ର ଅନୁସାରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ପଡ଼େ ତେବେ ୟୁରୋପରେ ମ୍ୟାଚ ଆୟୋଜନର କୌଣସି ଯୋଜନା ନ ଥିବା ଏଫ୍‌ଆଇଏଚ୍‌ କହିଛି। ବର୍ତ୍ତମାନର ର଼୍ୟାଙ୍କିଙ୍ଗ ଅନୁସାରେ ଭାରତ ଉଭୟ ପୁରୁଷ ଓ ମହିଳା ଦଳର କ୍ୱାଲିଫାୟର ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରେ ଆୟୋଜନ କରିବ। ପାକିସ୍ତାନ ବର୍ତ୍ତମାନ ବିଶ୍ୱ ର଼୍ୟାଙ୍କିଙ୍ଗରେ ୧୭ତମ ସ୍ଥାନରେ ରହିଛି। ଦଳ ରିଓ ଡି’ ଜେନିରୋରେ ୨୦୧୬ରେ ଅନୁଷ୍ଠିତ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନ ଥିଲା।

Share