Categories: ବାଣିଜ୍ୟ

ଇଣ୍ଡିଗୋ ବିବାଦରେ ନୂଆ ମୋଡ;ପ୍ରମୋଟର ଗଙ୍ଗଓ୍ବାଲଙ୍କୁ ଜେରା କରିବ ବୋର୍ଡ

ନୂଆଦିଲ୍ଲୀ,୧୬-୭: ଇଣ୍ଡିଗୋ ଏୟାରଲାଇନ୍‌ ପ୍ରମୋଟରଙ୍କ ବିବାଦ ଏବେ ନୂଆ ମୋଡ ନେଇଛି। ଅସନ୍ତୁଷ୍ଟ ଜଣେ ପ୍ରମୋଟରଙ୍କ ପତ୍ରରୁ ସୃଷ୍ଟି ହୋଇଥିବା ଏହି ବିବାଦ ଏବେ ଗମ୍ଭୀର ରୂପ ଧାରଣ କଲାଣି। କମ୍ପାନୀର ଦୁଇ ପ୍ରମୋଟର ରାକେଶ ଗଙ୍ଗଓ୍ବାଲ ଓ ରାହୁଲ ଭାଟିୟାଙ୍କ ମଧ୍ୟରେ ଏବେ ଅଭିଯୋଗ ପ୍ରତ୍ୟାଭିଯୋଗ ଜୋରଦାର ହୋଇଛି। କମ୍ପାନୀ ମ୍ୟାନେମେଣ୍ଟରେ ପରିବର୍ତ୍ତନ ପାଇଁ ଗଙ୍ଗଓ୍ବାଲ ଜୋର୍‌ ଦେଉଥିଲା ବେଳେ ରାହୁଲ ଏହାକୁ ନିଜ ନିୟନ୍ତ୍ରଣରେ ଏହା ରଖିବାକୁ ଚାହୁଁଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଏବେ ଇଣ୍ଡିଗୋ ବୋର୍ଡ ଅଫ୍‌ ଡାଇରେକ୍ଟର୍ସ ଗଙ୍ଗଓ୍ବାଲଙ୍କୁ ଡାକି ଜେରା କରିବାକୁ ଯାଉଛି। କମ୍ପାନୀ ବାଲାନ୍ସ ସିଟ୍‌ କୌଣସି ସରକାରୀ ଏଜେନ୍ସି ଦ୍ୱାରା ଯାଞ୍ଚ କରାଇବାକୁ ଭାଟିୟା ରାଜି। କାରଣ ତାଙ୍କ ମତରେ କମ୍ପାନୀର କାର୍ଯ୍ୟ ପ୍ରଣାଳୀରେ କୌଣସି ତ୍ରୁଟିବିଚ୍ୟୁତି ହୋଇନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ ଇଞ୍ଜିନ ନିର୍ମାତା ପ୍ର଼୍ୟାଟ୍‌ ଆଣ୍ଡ ହ୍ବିଟ୍‌ନୀ ବଦଳରେ ସିଏଫ୍‌ଏମ୍‌ ଠାରୁ ନୂଆ ବିମାନ ଇଞ୍ଜିନ କିଣିବା ପାଇଁ ଗଙ୍ଗଓ୍ବାଲ କାହିଁକି ନିର୍ଦ୍ଦେଶ ଦେଲେ ବୋଲି ବୋର୍ଡ ଜାଣିବାକୁ ଚାହୁଁଛି। ସେ ଏହି ନିର୍ଦ୍ଦେଶ ଦେବା ପୂର୍ବରୁ ବୋର୍ଡ ଠାରୁ ଅନୁମତି ନେଇ ନ ଥିଲେ। ଏଥିପୂର୍ବରୁ ଇଣ୍ଡିଗୋର ସମସ୍ତ ଇଞ୍ଜିନ ପ୍ରାଟ୍‌ ଆଣ୍ଡ ହ୍ବିଟନୀରୁ କିଣାଯାଉଥିଲା। ତେବେ ଗଙ୍ଗଓ୍ବାଲଙ୍କ ନିର୍ଦ୍ଦେଶରେ ୨୦ ବିଲିୟନ ଡଲାର ମୂଲ୍ୟର ଇଞ୍ଜିନ ଏବେ ସିଏଫ୍‌ଏନ୍‌ରୁ କିଣାଯିବ। ଜଣେ ଏକ୍‌ଜିକ୍ୟୁଟିଭ ମିଡିଆକୁ କହିଛନ୍ତି ଯେ, ସମ୍ବନ୍ଧିତ ପକ୍ଷ ହସ୍ତାନ୍ତରଣ(ଆର୍‌ପିଟି) ଏବଂ କର୍ପୋରେଟ ନିୟନ୍ତ୍ରଣ ସହ ଜଡ଼ିତ ପ୍ରସଙ୍ଗକୁ ଉଠାଯାଇ ଗଙ୍ଗଓ୍ବାଲଙ୍କଠାରୁ ଉତ୍ତର ଲୋଡାଯିବ। ବୋର୍ଡ ପକ୍ଷରୁ ଏ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଓ ଶୀର୍ଷ ଅଧିକାରୀମାନଙ୍କ ନିକଟକୁ ପଠାଯାଇସାରିଛି। ଇଣ୍ଡିଗୋରେ ଗଙ୍ଗଓ୍ବାଲ ଓ ତାଙ୍କ ପରିବାରର ୩୭% ଏବଂ ଭାଟିୟା ଓ ତାଙ୍କ ପରିବାରର ୩୮% ଅଂଶଧନ ରହିଛି। ପ୍ରାୟ ୨୫% ଶେୟାର ଷ୍ଟକ୍‌ ବଜାର ମାଧ୍ୟମରେ ଅନ୍ୟମାନଙ୍କ ହାତରେ ରହିଛି। ଉଲ୍ଲେଖଥାଉ କି, ଭାଟିୟାଙ୍କ ନିକଟରେ ଅଖଣ୍ଡ କ୍ଷମତା ରହିଛି। ସେ ୬ ମଧ୍ୟରୁ ୩ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରିପାରିବେ। ଏହାବ୍ୟତୀତ ସେ ଏମ୍‌ଡି, ସିଇଓ ଓ ପ୍ରେସିଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତ କରିପାରିବେ। ଏହି ଅଧିକାରର ଉପଯୋଗ ଠିକ୍‌ ଭାବେ ହେଉନାହିଁ ବୋଲି ଗଙ୍ଗଓ୍ବାଲ ଅଭିଯୋଗ କରିଛନ୍ତି।

Share