‘ଇଣ୍ଡିଆ ଟୁଡେ’ କଭର ଷ୍ଟୋରିରେ ଚନ୍ଦ୍ରାଣୀ

ଭୁବନେଶ୍ୱର, ୩ା୬ (ବ୍ୟୁରୋ) : କେନ୍ଦୁଝର ଲୋକ ସଭା ଆସନରୁ ବିଜୟୀ ହୋଇଥିବା ବିଜେଡିର ଚନ୍ଦ୍ରାଣୀ ମୁର୍ମୁ ଜାତୀୟସ୍ତରୀୟ ପତ୍ରିକା ‘ଇଣ୍ଡିଆ ଟୁଡେ’ର ପ୍ରଚ୍ଛଦପଟ ଷ୍ଟୋରିରେ ସ୍ଥାନ ପାଇଛନ୍ତି। ଚନ୍ଦ୍ରାଣୀ ସପ୍ତଦଶ ଲୋକ ସଭାରେ ସର୍ବକନିଷ୍ଠ ସଦସ୍ୟ। ୨୫ ବର୍ଷୀୟା ଚନ୍ଦ୍ରାଣୀ ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ଭାଜପାର ହେଭିୱେଟ ଅନନ୍ତ ନାୟକଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ନିମ୍ନ ସଦନର ସର୍ବକନିଷ୍ଠା ସଦସ୍ୟା ହୋଇଥିବାରୁ ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଦେଶର ଅନ୍ୟ ୬ ଏମ୍‌ପିଙ୍କ ସହ ଚନ୍ଦ୍ରାଣୀଙ୍କ ଫଟୋ ଏହି ଚର୍ଚ୍ଚିତ ଇଂଲିଶ ମାଗାଜିନ୍‌ର କଭର ପେଜ୍‌ରେ ସ୍ଥାନ ପାଇଛି। ଚନ୍ଦ୍ରାଣୀଙ୍କ ସହ କଭର ପେଜ୍‌ରେ ବାଙ୍ଗାଲୋର(ଦକ୍ଷିଣ)ରୁ ନିର୍ବାଚିତ ହୋଇଥିବା ତେଜସ୍ବୀ ସୂର୍ଯ୍ୟା, ପଶ୍ଚିମବଙ୍ଗର ଯାଦବପୁର ଏମ୍‌ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀଙ୍କ ସମେତ ଗୌତମ ଗମ୍ଭୀର (ପୂର୍ବ ଦିଲ୍ଲୀ), ରବି କିଷନ(ୟୁପିର ଗୋରଖପୁର) ଓ ଅନ୍ୟ ୨ ନବନିର୍ବାଚିତ ପ୍ରତିନିଧିଙ୍କ ଫଟୋ ରହିଛି।