Categories: ଖେଳ

ଇଡେନରେ କିମ୍ବଦନ୍ତୀ କ୍ରିକେଟରଙ୍କ ସ୍ମୃତି ଚାରଣ

କୋଲକାତା,୨୩।୧୧(ପି.ଟି.)- ଭାରତୀୟ କିମ୍ବଦନ୍ତୀ କ୍ରିକେଟରମାନେ ପିଙ୍କ ବଲ୍‌ ଟେଷ୍ଟ ଆରମ୍ଭ ଅବସରରେ ପୂର୍ବରୁ ଗୌରବମୟ ସ୍ମୃତି ଚାରଣ କରିଥିଲେ। ଶ୍ରୁକ୍ରବାର ସଚିନ ତେନ୍ଦୁଲକର ଓ ଅନିଲ କୁମ୍ବଲେ ପୂର୍ବର ଉଲ୍ଲେଖନୀୟ ପ୍ରଦର୍ଶନ କଥା ମନେ ପକାଇଥିଲେ। ଏ ନେଇ ପ୍ରଥମ ଦିବସର ଲଞ୍ଚ୍‌ ବ୍ରେକ୍‌ରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ସଚିନଙ୍କ ସମେତ ଭିଭିଏସ୍‌ ଲକ୍ଷ୍ମଣ, କୁମ୍ବଲେ, ହରଭଜନ ସିଂ ପ୍ରମୁଖ ଯୋଗଦେଇଥିଲେ। ବିଶ୍ୱ ପସିଦ୍ଧ ଏହି ଐତିହାସିକ ଷ୍ଟାଡିୟମରେ ଭାରତ ହାସଲ କରିଥିବା ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଏମାନେ ଆଲୋଚନା କରିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୧୯୯୩ ହିରୋ କପ୍‌ ଫାଇନାଲ ଓ ଅଷ୍ଟ୍ରେଲିଆ ବିପକ୍ଷ ୨୦୦୧ ଟେଷ୍ଟ ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା।
ସମସ୍ତେ ଅଧିନାୟକ ତଥା ବିସିସିଆ ସଭାପତ ସୌରଭ ଗାଙ୍ଗୁଲିଙ୍କୁ ଧନ୍ୟବାଦ ଜଣାଇଥିଲେ। ସମସ୍ତଙ୍କୁ ପୁଣିଥରେ ଏକାଠି କରାଇଥିବାରୁ ସେମାନେ ଗାଙ୍ଗୁଲିଙ୍କୁ ପ୍ରଶଂସା ମଧ୍ୟ କରିଥିଲେ। ଏହି ୪୦ ମିନିଟର ଆଲୋଚନା ଭିତ୍ତିକ କାର୍ଯକ୍ରମରେ ଗାଙ୍ଗୁଲି ମଧ୍ୟ ଯୋଗ ଦେଇଥିଲେ। ଟିଭି ଚ୍ୟାନେଲ ଷ୍ଟାର ସ୍ପୋଟର୍‌ସରେ ଏହାର ସିଧାପ୍ରସାରଣ କରାଯାଇଥିଲା।
ଯେତେବେଳେ ଖେଳୁଥିଲୁ, ସେତେବେଳେ ଆମେ ଏଭଳି ଏକାଠି ହୋଇ ବସିବାର ସୁଯୋଗ ପାଇ ନ ଥିଲୁ। ଏହା ଆମ ପାଇଁ ଏକ ସ୍ବତନ୍ତ୍ର ଦିନ ବୋଲି କୁମ୍ବଲେ କହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୨ ରନ ଦେଇ ୬ ଉଇକେଟ ହାସଲ କରି କୁମ୍ବଲେ ଭାରତକୁ ଜିତାଇଥିଲେ। ସଚିନ ସଚିନ.. ଉଚ୍ଚାରଣ କରି କୋଲକାତା ଦର୍ଶକ ନିଜର ସମ୍ମାନ ପ୍ରଦର୍ଶନ କରିଥିଲେ। ୨୦୦୧ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ଲକ୍ଷ୍ମଣ ଓ ରାହୁଲ ଡ୍ରାଭିଡ ମ୍ୟାଚ୍‌ ବିଜୟୀ ୩୭୬ ରନର ଭାଗିଦାରୀ ସ୍ଥାପନ କରିଥିଲେ। ଫଲୋଅନ ହୋଇ ମଧ୍ୟ ଏହି ଭାଗିଦାରୀ ବଳରେ ଭାରତ ହରଭଜନ ଓ ସଚିନଙ୍କ ବୋଲିଂ ସହାୟତାରେ ଭାରତ ଅଷ୍ଟ୍ରେଲିଆକୁ ହରାଇଥିଲା। ହରଭଜନ ମଧ୍ୟ ଏହି ମ୍ୟାଚ୍‌ରେ ଭାରତ ପାଇଁ ପ୍ରଥମ ଟେଷ୍ଟ ହ୍ୟାଟ୍ରିକ ଅର୍ଜନ କରିଥିଲେ ଓ ମୋଟ ୧୩ ଉଇକେଟ ଅକ୍ତିଆର କରିଥିଲେ। ହରଭଜନଙ୍କ ହ୍ୟାଟ୍ରିକ ପରେ ମ୍ୟାଚ୍‌ର ମୋଡ ବଦଳିଯାଇଥିଲା ବୋଲି ସଚିନ କହିଛନ୍ତି। ଇଡେନର ଏହି ପରିବେଶ ମୋତେ ୧୫ ବର୍ଷ ତଳକୁ ନେଇଯାଇଛି ବୋଲି ହରଭଜନ କହିଛନ୍ତି। ଗାଙ୍ଗୁଲିଙ୍କ ପ୍ରଶଂସା କରି ହରଭଜନ କହିଛନ୍ତି ଯେ, ଯଦି ୧୦୦ଜଣ ଅଧିନାୟକଙ୍କ ନେତୃତ୍ୱରେ ଖେଳିବାକୁ ପଡିଲେ ମଧ୍ୟ ସେ ସବୁବେଳେ ମୋର ଅଧିନାୟକ ହୋଇ ରହିଥିବେ। ମୋହଲିରେ ହରଭଜନଙ୍କୁ ପ୍ରଥମେ ଭେଟିଥିଲି ବୋଲି ସଚିନ କହିଛନ୍ତି। ସେ ଜଣେ ଭଲ ସ୍ପିନର ଓ ଭଲ ଦୁସ୍‌ରା ପକାଉଛନ୍ତି ବୋଲି ଶୁଣିବାକୁ ପାଇଥିଲି ବୋଲି ସେ କହିଥିଲେ।

Share