ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ

ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଛନ୍ତି।
ଉକ୍ତ ଇଟାଭାଟିରେ ମା’ ବାପାଙ୍କ ସହ ସମ୍ପୃକ୍ତା ନାବାଳିକା କାମ କରି ଆସୁଥିଲେ। ସେଠାରେ କାମ କରୁଥିବା ଜଣେ କର୍ମଚାରୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଝିଅକୁ ତାଗିଦ୍‌ କରିଥିଲେ। ସୋମବାର ସକାଳେ ତାଙ୍କୁ ବିଷ ପିଆଇ ଦିଆଯାଇଥିବା ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ନୀଳଗିରି ମେଡିକାଲ ଅଣାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଝିଅଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ପୋଲିସ ବାଲେଶ୍ୱର ମେଡିକାଲରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଆଇଆଇସି ପ୍ରଭଞ୍ଜନ ବେହେରା କହିଛନ୍ତି, ତାଙ୍କ ଦାଦାଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ, ନାବାଳିକାଙ୍କ ମା’ ବାପା ଅଭିଯୋଗ କରିବା ପରେ ତଦନ୍ତ ତ୍ୱରାନ୍ବିତ କରାଯିବ। କେବଳ ମେଡିକାଲ ତଥ୍ୟକୁ ଭିତ୍ତି କରି ପ୍ରାଥମିକ ତଦନ୍ତ କରାଯାଇଛି।