Categories: ରାଜ୍ୟ

ଇଂଲିଶରେ ନୟାଗର୍‌ ଲେଖାକୁ ବିରୋଧ: ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ନୟାଗଡ଼ ଅଫିସ,୧୩।୭: ଇଂଲିଶରେ ନୟାଗର୍‌ ନୁହେଁ ନୟାଗଡ଼ ଲେଖିବା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶୁକ୍ରବାର ରୋଟାରୀ କ୍ଲବ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ରୋଟାରୀ କ୍ଲବର ରୋଟାରିଆନ୍‌ମାନେ ଜିଲାପାଳ ଡା. ଏନ୍‌ ତିରୁମାଲା ନାୟକଙ୍କୁ ଭେଟି ସେମାନଙ୍କ ଦାବିପତ୍ର ପ୍ରଦାନ କରିଥିଲେ।
ଦର୍ଶାଯାଇଛି ଯେ, ୭ ଶହ ବର୍ଷ ତଳୁ ରାଜା ବାଘା ସିଂ ଗଡ଼ ପ୍ରତିଷ୍ଠା କଲା ପରେ ନୟାଗଡ଼ ନାଁରେ ଏହି ଭୂଖଣ୍ଡ ନାମିତ ହୋଇଆସୁଛି। ବ୍ରିଟିଶ ରାଜତ୍ୱ ସମୟରେ ଇଂଲିଶ ଭାଷାରେ ପ୍ରଚଳନ ପରେ ବିଟିଶ୍‌ ଶାସନ ନୟାଗଡ଼କୁ ଇଂଲିଶରେ ନୟାଗର୍‌ ( ଏନ୍‌ଏୱାଇଏଜିଏଆରଏଚ୍‌) ଭାବେ ଅଭିହିତ କରି ଏହାକୁ ପ୍ରଶାସନିକ ଶବ୍ଦ ଭାବେ ପ୍ରତିଷ୍ଠା କରାଇଥିଲେ। ନୟାଗଡ଼ର ପ୍ରକୃତ ବନାନ୍‌ ଇଂଲିଶରେ ନୟାଗଡ଼ ( ଏନ୍‌ଏୱାଇଏଜିଏଡିଏ) ହୋଇଥିଲେ ମଧ୍ୟ ତୁ୍ରଟିଯୁକ୍ତ ଭାବେ ଇଂଲିଶରେ ନୟାଗର୍‌ ଶବ୍ଦ ଭାବେ ବ୍ୟବହାର ହୋଇଆସୁଅଛି। ତୁ୍ରଟି ଇଂଲିଶ ଶବ୍ଦଟି ନୟାଗଡ଼ର ସାରସ୍ବତ ସମୃଦ୍ଧ , ଐତିହ୍ୟସମ୍ପନ୍ନ ବୌଦ୍ଧିକ ପରିମଣ୍ଡଳକୁ ଏକ ଉପହାସ ଭଳି ଲାଗୁଛି। ତେଣୁ ନୟାଗର୍‌ ନୁହେଁ ଇଂଲିଶରେ ନୟାଗଡ଼ ଲେଖିବା ପାଇଁ ସେମାନେ ଦାବିପତ୍ରରେ ଜଣାଇଛନ୍ତି। ରୋଟାରୀ କ୍ଲବ ପକ୍ଷରୁ ରୋଟାରିଆନ୍‌ ପ୍ରମୋଦ ପଟ୍ଟନାୟକ, ମଦନ ମୋହନ ମହାପାତ୍ର, ସୁବୋଧ ଚନ୍ଦ୍ର ପଟ୍ଟନାୟକ, ନିରୁପମା ପଟ୍ଟନାୟକ, ଧୀରେନ୍ଦ୍ର କୁମାର ପଟ୍ଟନାୟକ, ମିହିର ରଞ୍ଜନ ନାୟକ ପ୍ରମୁଖ ଉପସ୍ଥିତ ରହି ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।