Categories: ଖେଳ

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଟ୍ରେସ୍କୋଥିକ

ଲଣ୍ଡନ, ୨୪।୭ (ପି.ଟି.): ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ସିରିଜ ଲାଗି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମାର୍କସ ଟ୍ରେସ୍କୋଥିକଙ୍କୁ ଇଂଲଣ୍ଡ ଦଳର କୋଚିଂ ଷ୍ଟାଫ୍‌ ଟିମ୍‌ରେ ସାମିଲ କରାଯାଇଛି। ୪୩ ବର୍ଷୀୟ ଏହି ଭେଟେରାନ ବାମହାତୀ ବ୍ୟାଟ୍ସମ୍ୟାନ ସିରିଜର ପ୍ରଥମ ୨ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଟ୍ରେନିଂ ସେସନ ଉପରେ ଧ୍ୟାନ ଦେବେ ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଦଳର ମୁଖ୍ୟ ବ୍ୟାଟିଂ କୋଚ୍‌ ଗ୍ରାହମ ଥୋର୍‌ପେଙ୍କୁ ସେ ସହାୟତା କରିବେ। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନରେ ଏବଂ ଅଗଷ୍ଟ ୧୪ରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଯଥାକ୍ରମେ ପ୍ରଥମ ୨ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଇଂଲଣ୍ଡ ପକ୍ଷରୁ ୭୬ ଟେଷ୍ଟରେ ପ୍ରତିନିଧିତ୍ୱ କରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ ୨୦୦୫ ଆଶେସ ସିରିଜରେ କେଭିନ ପିଟରଶନଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର କୃତିତ୍ୱ ଲାଭ କରିଥିଲେ। ସେହିବର୍ଷ ତାଙ୍କୁ ଓ୍ବିଜଡେନ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା।

Share