ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଜେଲ୍‌ ଗଲେ ୪ର୍ଥ ଶ୍ରେଣୀ କର୍ମଚାରୀ

ଭଦ୍ରକ ଅଫିସ, ୨୦।୧୧: ଭଦ୍ରକ ଜିଲା ଧାମନଗର ବ୍ଲକ ହସନାବାଦ ଗ୍ରାମର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗର ୪ର୍ଥ ଶ୍ରେଣୀ କର୍ମଚାରୀ(ଫିଟର) ସତ୍ୟନାରାୟଣ ମଲ୍ଲିକଙ୍କୁ ବୁଧବାର ଭଦ୍ରକ ଭିଜିଲାନ୍ସ ଟିମ୍‌ ଗିରଫ କରି ବାଲେଶ୍ୱର ଜେଲ୍‌କୁ ପଠାଇଛି। ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ସତ୍ୟନାରାୟଣଙ୍କ ଘରେ ଚଢ଼ାଉ କରିଥିଲା। ଦୁଇଟି ପ୍ଲଟ ୨୨ ଲକ୍ଷ ୩୦ ହଜାର, ସୁନା ୫ ଲକ୍ଷ ୩୦ ହଜାର, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୧୩ ଲକ୍ଷ, ପୋଷ୍ଟାଲରେ ୯ ଲକ୍ଷ ୭୦ ହଜାର, ନଗଦ ଚେକ୍‌ ୮୩ ହଜାର, ବିଭିନ୍ନ ଇନ୍ସ୍ୟୁରାନ୍ସ କମ୍ପାନୀରେ ୪୭ ଲକ୍ଷ, ଏଲ୍‌ଆଇସିରେ ୭ ଲକ୍ଷ ୯୫ ହଜାର ଟଙ୍କାର ସମ୍ପତ୍ତି ଥିବା ଯାଞ୍ଚ ବେଳେ ଜଣାପଡ଼ିଛି। ପ୍ରକାଶ ଯେ, ଡିଏସ୍‌ପି ମହାପାତ୍ରଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ମଙ୍ଗଳବାର ସତ୍ୟନାରାୟଣଙ୍କ ହସନାବାଦସ୍ଥିତ ବାସଭବନ ସମେତ ଶ୍ୱଶୁରଘର ଚାନ୍ଦବାଲି ବ୍ଲକ ତେନ୍ତୁଲିଡିହ ବାସଭବନରେ ଏକା ସମୟରେ ଚଢ଼ାଉ କରିଥିଲା।