ଆୟୁଷ ଡାକ୍ତରଙ୍କୁ ଅବହେଳା ଅଭିଯୋଗ: ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

ବାଲେଶ୍ୱର ଅଫିସ,୨୮।୫- ବାଲେଶ୍ୱର ଜିଲାରେ କାର୍ଯ୍ୟରତ ୪୨ ଆୟୁଷ ଡାକ୍ତରଙ୍କୁ ରାଜ୍ୟସରକାର ଅବହେଳା ପ୍ରଦର୍ଶନ କରିଥିବା ନେଇ ବୁଧବାର ପୂର୍ବାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟଙ୍କୁ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଦୀର୍ଘ ୬ବର୍ଷରୁ ଊର୍ଦ୍ଧ୍ୱ ରାଷ୍ଟ୍ରୀୟ ବାଲ୍‌ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲାର ୧୨ଟି ବ୍ଲକରେ ୪୨ଜଣ ଆୟୁଷ ଡାକ୍ତର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରି ଆସୁଛନ୍ତି। ବିଶ୍ୱ ମହାମାରୀ କରୋନା ସ୍ଥିତି ସମୟରେ ମଧ୍ୟ ସରକାରଙ୍କର ନିର୍ଦ୍ଦେଶକ୍ରମେ ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ତତ୍ତ୍ୱାବଧାନରେ କୋଭିଡ୍‌ କେୟାର ସେଣ୍ଟର, ଆଇସୋଲେଶନ ୱାର୍ଡ, କୋଭିଡ୍‌ ଓପିଡ଼ି, ଟିଏମ୍‌ସି, ଆବଦ୍ଧାଞ୍ଚଳ ଠାରୁ ଆରମ୍ଭ କରି ଶବଦାହ କ୍ଷେତ୍ର ପର୍ଯ୍ୟନ୍ତ କାର୍ଯ୍ୟ କରୁଛନ୍ତି। ରାଜ୍ୟସରକାର ସେମାନଙ୍କୁ କରୋନା ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ବୋଲି ଘୋଷଣା କରିଥିଲେ ମଧ୍ୟ ଚିକିତ୍ସା ବିଭାଗର ଡାକ୍ତର, ନର୍ସ ଓ କର୍ମଚାରୀଙ୍କୁ ମିଳୁଥିବା ସୁବିଧା ଓ ସୁଯୋଗରୁ ବଞ୍ଚତ୍ତ କରିଛନ୍ତି। ବ୍ୟକ୍ତିଗତ କିମ୍ବା ଗୋଷ୍ଠୀ ଜନିତ ବୀମା, ଅଗ୍ରୀମ ଦରମା ନ ଥିବା ବେଳେ ଦୀର୍ଘ ୬ବର୍ଷ ଧରି କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କ ନିଜର ମାସିକ ଦରମା ବୃଦ୍ଧିରେ ନାଁ ଧରୁ ନାହାନ୍ତି। ଅନ୍ୟପକ୍ଷରେ କୋଭିଡ୍‌-୧୯ ମୁକାବିଲାରେ ନିଯୁକ୍ତ ଡାକ୍ତରମାନଙ୍କୁ ୬୬ହଜାର ଟଙ୍କା ମାସିକ ବେତନ ଦିଆଯାଉଥିବା ବେଳେ ସେମାନଙ୍କ ଠାରୁ ଯଥେଷ୍ଟ ଅଧିକ କାମ କରି ମାତ୍ର ୨୬ହଜାର ମାସିକ ଦରମା ପାଉଛନ୍ତି। ଏହା ରାଜ୍ୟସରକାରଙ୍କର ପାତରଅନ୍ତର ନୀତି ବୋଲି ସଂଘର କର୍ମକର୍ତ୍ତା କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅଭିଯୋଗ ପତ୍ର ପ୍ରଦାନ ବେଳେ ଆୟୁଷ ଡାକ୍ତର ସଂଘର ଜିଲା ସଭାପତି ଡା. ଆଲୋକ ନାରାୟଣ ଶତପଥୀ, ଉପ-ସଭାପତି ଡା. ସୁଭାଶିଷ ମହାନ୍ତି, ଡା. ରତିକାନ୍ତ ବେହେରା, ଡା. ଶୁଭାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।