ଆହାର ନ ପାଇ ଫେରୁଛନ୍ତି ଲୋକେ

ଫୁଲବାଣୀ ଅଫିସ, ୨୫ା୨-ସହରର ଗରିବ, ଦିନ ମଜୁରିଆଙ୍କୁ ୫ ଟଙ୍କାରେ ଭାତ, ଡାଲମା ଯୋଗାଇ ଦେବା ପାଇଁ ସରକାର ଆରମ୍ଭ କରିଛନ୍ତି ଆହାର ଯୋଜନା। କନ୍ଧମାଳ ଜିଲା ଫୁଲବାଣୀ ସହରରେ ଦୁଇଟି ସ୍ଥାନରେ ଏହି କେନ୍ଦ୍ର ଖୋଲାଯାଇଛି। ଗୋଟିଏ ବସ୍‌ଷ୍ଟାଣ୍ଡରେ ଏବଂ ଅନ୍ୟଟି ମେଡିକାଲ ପରିସରରେ। ମେଡିକାଲ ପରିସରରେ ଖୋଲା ଯାଇଥିବା କେନ୍ଦ୍ରରେ ଦିନକୁ ୨ ଥର ଦିନ ଏବଂ ରାତିରେ ଆହାର ଦିଆଯାଉଛି। ତେବେ କିଛିଦିନ ହେଲା ହୋଇଥିବା ଅନୁଧ୍ୟାନରୁ ଏହି କେନ୍ଦ୍ରକୁ ଦିନ ୧ଟା ସୁଦ୍ଧା ବନ୍ଦ କରିଦିଆଯାଉ ଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପଚାରିଲେ ୫୦୦ ଟୋକନ ସରିଗଲା ବୋଲି କୁହାଯାଉଛି। ତେବେ ଗୋଟିଏ ଘରେ ୫୦୦ ଲୋକେ ଏତେ ଶୀଘ୍ର ଖାଦ୍ୟ ସରିଯିବାକୁ ନେଇ ପ୍ରଶ୍ନ ଉଠିଛି। ବହୁ ରୋଗୀ ସମ୍ପର୍କୀୟ ଏବଂ ଗରିବ ଲୋକେ ଖାଇବା ସମୟକୁ ଆସିଲା ବେଳକୁ ସେମାନଙ୍କୁ ଫେରାଇ ଦିଆଯାଉଛି।
ଆହାର କେନ୍ଦ୍ର ପାଇଁ ସରକାର ଆହାର ସୋସାଇଟି ଗଠନ କରିଛନ୍ତି। ଦିନ ୧ଟାରେ ଖାଦ୍ୟ ପାଇଁ କେନ୍ଦ୍ରକୁ ଗଲେ ୫୦୦ ଲୋକ ଖାଇସାରିଛନ୍ତି ବୋଲି କୁହାଯାଉଛି। ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଥିବା ଏହି କେନ୍ଦ୍ରର ଏକ ଛୋଟିଆ ଘରେ ମାତ୍ର ୨ ଘଣ୍ଟା ମଧ୍ୟରେ ୫୦୦ ଲୋକ ଖାଦ୍ୟ ଗ୍ରହଣ କରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏଥିରେ ଭାତ, ଡାଲମା ଯୋଗାଉଥିବା ସ୍ବୟଂ ସହାୟିକା ଗୋଷ୍ଠୀ ଏବଂ ବିଭାଗୀୟ ଅଧିକାରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଆହାର କେନ୍ଦ୍ରକୁ କେହି ତଦାରଖ କରିବାକୁ ଆସୁନାହାନ୍ତି। ଆହାର ସୋସାଇଟି ଜଣଙ୍କ ଖାଦ୍ୟ ପିଛା ୧୫ଟଙ୍କା ହିସାବରେ ୫୦୦ ଜଣଙ୍କ ଖାଦ୍ୟ ପାଇଁ ୭୫୦୦ ଟଙ୍କା ପ୍ରଦାନ କରୁଛି। ଗ୍ରାହକ ୫ ଟଙ୍କା ଦେଉଛନ୍ତି। ପ୍ରତ୍ୟେକ ଦିନ ୧୦୦ରୁ ୧୫୦ ଜଣଙ୍କର ଖାଦ୍ୟ କମ୍‌ କରି ଆହାର ନେଇଥିବା ଏସ୍‌ଏଚ୍‌ଜି ୧୫୦୦ରୁ ୨୦୦୦ ଟଙ୍କା ମୁନାଫା ପାଉଛି। ଏପଟେ ଲୋକେ ଖାଦ୍ୟ ନ ପାଇ ନିରାଶ ହେଉଛନ୍ତି। ତେବେ ଏହି ଅଭିଯୋଗକୁ ଆହାର କେନ୍ଦ୍ରର ଦାୟିତ୍ୱ ନେଇଥିବା ମା’ ମଙ୍ଗଳା ଏସ୍‌ଏଚ୍‌ଜି ଗ୍ରୁପର ସମ୍ପାଦିକା ମମତା ବେହେରା ଅସ୍ବୀକାର କରିଛନ୍ତି। ପ୍ରତିଦିନ ୫ ଶହ ଖାଦ୍ୟ ପ୍ରସ୍ତୁତ ହୋଇଦିଆଯାଉଛି। ୧ଟାରୁ ୧.୩୦ ମଧ୍ୟରେ ଖାଦ୍ୟ ସରି ଯାଉଥିବା ସେ କହିଛନ୍ତି। ଏ ସମ୍ପର୍କରେ ଆହାର ସୋସାଇଟି ନୋଡାଲ ଅଧିକାରୀ ତଥା ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କୁ ପଚାରିବାରୁ ସବୁ ବେଳେ ଯାଇ ତଦାରଖ କରିବା ସମ୍ଭବ ନୁହେଁ , ତଥାପି ତଦାରଖ କରାଯିବ ବୋଲି କହିଛନ୍ତି।