ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ୟୁନିଫର୍ମ ପିନ୍ଧି ନ ଥିବାରୁ ରାଗିଲେ, ଖାଦ୍ୟର ମାନ କଲେ ଯାଞ୍ଚ

କୋରୁକେଣ୍ଡା,୨୩।୧(ଡି.ଏନ୍‌.ଏ): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ଆହାର କେନ୍ଦ୍ରକୁ ମାଲକାନଗିରି ଜିଲାପାଳ ମନୀଷ ଅଗ୍ରୱାଲ ଗୁରୁବାର ଅଚାନକ ଗ୍ରସ୍ତ କରିଥିଲେ। ପୂର୍ବରୁ ଏହି ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ଦେଉଥିବା ବାରମ୍ବାର ଅଭିଯୋଗ ଆସୁଥିବାରୁ ଜିଲାପାଳ ଏପରି ଅଚାନକ ଗ୍ରସ୍ତ କରି ଖାଦ୍ୟର ମାନ ପରଖିଥିବା ସୂଚନା ମିଳିଛି। ତେବେ ଜିଲାପାଳଙ୍କ ଗ୍ରସ୍ତ ସମୟରେ ଆହାର କେନ୍ଦ୍ରରେ କାମ କରୁଥିବା ମହିଳା ମାନେ ନିଜର ୟୁନିଫର୍ମ ପିନ୍ଧି ନ ଥିବାରୁ ସେ ବିରକ୍ତି ପ୍ରକାଶ କରିବା ସହ ଲୋକମାନଙ୍କୁ ଥାଳି ଫୁଲ୍‌ କରି ଖାଦ୍ୟ ଦେବା ପାଇଁ ପରାମର୍ଶ ଦେଇଥିଲେ। ପରେ ଜିଲାପାଳ ନିଜେ ଏହି ଆହାର କେନ୍ଦ୍ରରେ ଖାଦ୍ୟ ମାଗିବା ପାଇଁ ଲାଇନରେ ଛିଡା ହେବା ସହ ସାଧାରଣ ଲୋକଙ୍କ ପରି ଖାଇଥିଲେ। ସେହି ସମୟରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଉପସ୍ଥିତ ଥିଲେ। ଏଥିସହ ଏନ୍‌ଏସିର କିଛି କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ବର୍ତ୍ତମାନ ଉତ୍ତମ ମାନର ଖାଦ୍ୟ ଦିଆଯାଉଥିବା ଜିଲାପାଳ ସୂଚନା ଦେଇଛନ୍ତି। ୧୫ ଦିନ ମଧ୍ୟରେ ଆହାର କେନ୍ଦ୍ରରେ ଏସି ଲଗାଇବା ନିମନ୍ତେ ଆଦେଶ ଦେବା ସହ ଏହା ପରିସରରେ ଥିବା ଶୌଚାଳୟକୁ ବ୍ୟବହାର କରିବା ନିମନ୍ତେ ଆଦେଶ ଦେଇଥିଲେ। ତେବେ ଗତ କିଛିଦିନ ତଳେ ନିମ୍ନ ମାନର ଖାଦ୍ୟକୁ ନେଇ ଆହାର କେନ୍ଦ୍ର ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବର୍ତ୍ତମାନ ସେଠାରେ ଏନଏସିର କିଛି କର୍ମଚାରୀ ଉପସ୍ଥିତ ରହୁଥିବାରୁ ଲୋକଙ୍କୁ ଉତ୍ତମ ମାନର ଖାଦ୍ୟ ଦିଆଯାଉଥିବା ସ୍ଥାନୀୟରେ ମତ ପ୍ରକାଶ ପାଇଛି।