ଆସୁଛି ବାତ୍ୟା ଅମ୍ଫନ: ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର ନିର୍ଦ୍ଦେଶ

ଭୁବନେଶ୍ୱର,୧୭।୫(ବ୍ୟୁରୋ): ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୪ ଉପକୂଳବର୍ତ୍ତୀ ଜିଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍‌ସିଂହପୁର ସର୍ବାଧିକ ପ୍ରଭାବିତ ହେବ। ଏହି ଜିଲାଗୁଡ଼ିକରେ ସମୁଦ୍ର କୂଳଠାରୁ ୩ କି.ମି. ମଧ୍ୟରେ ଥିବା ଅସ୍ଥାୟୀ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ସମ୍ପୃକ୍ତ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ ରହୁଥିବା ସମସ୍ତ ପ୍ରବାସୀଙ୍କୁ ୧୮ ତାରିଖ ସୁଦ୍ଧା ଅନ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ଏଥିସହ ଏହି ଜିଲାଗୁଡ଼ିକରେ ଥିବା ହସ୍ପିଟାଲରେ ପର୍ଯ୍ୟାପ୍ତ ପରିମାଣର ଡିଜେଲ, ଜେନେରେଟର, ଔଷଧ, ସାପ କାମୁଡ଼ା ଔଷଧ, ବ୍ଲିଚିଂ ପାଉଡର ମହଜୁଦ ଅଛି। ପରିସ୍ଥିତି ଉପରେ ଦୃଷ୍ଟି ରଖିବା ନିମନ୍ତେ ସ୍ବତନ୍ତ୍ର ମେଡିକାଲ ଟିମ୍‌ ଗଠନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ତେବେ କୋଭିଡ୍‌ ସମୟରେ ବାତ୍ୟା ଆସୁଛି ବୋଲି ଲୋକେ ଭୟଭୀତ ହୁଅନ୍ତୁ ନାହିଁ। ବିଶେଷକରି ଏହି ୪ ଜିଲାବାସୀ କୌଣସି ପ୍ରକାର ଚିନ୍ତା କରନ୍ତୁ ନାହିଁ। ରାଜ୍ୟ ସରକାର ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି ବୋଲି ମହାପାତ୍ର କହିଛନ୍ତି।