Categories: ରାଜ୍ୟ

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି କେହି ଚୋରାଇ ନ ଥିଲେ ବରଂ ନଷ୍ଟ ହୋଇ ଡୋଳା ଭିତରକୁ ପଶିଯାଇଥିବା କହିଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ। ଗୁରୁବାର ହସ୍ତଗତ ହୋଇଥିବା ଉକ୍ତ ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ ଥିବା ବେଳେ ତାହାକୁ ପୋଲିସକୁ ହସ୍ତାନ୍ତର କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି।
ସିଡିଏମ୍‌ଓ ବେହେରା କହିଛନ୍ତି ଯେ, ମେଡିକାଲରୁ କୌଣସି ମୃତଦେହରୁ ଆଖି ଗାଏବ ହୋଇନାହିଁ। ବଅଁରପାଳ ନୂଆହତାର ୪ବର୍ଷର ଶିଶୁକନ୍ୟା ପ୍ରୀତି ଗୋଚ୍ଛାୟତର ଦୁଇଟି ଆଖି ଅତ୍ୟଧିକ ସଂକ୍ରମଣ କାରଣରୁ ନଷ୍ଟ ହୋଇଯାଇଥିଲା। ସେପଟିସେମିଆ ସଂକ୍ର୍ରମଣ ଏତେ ଭୟଙ୍କର ଥିଲା ଯେ, ଶିଶୁ କନ୍ୟାର କିଡ୍‌ନୀ ସହ ବିଭିନ୍ନ ଆଭ୍ୟନ୍ତର ଅଙ୍ଗ ଓ ଆଖିରେ ପୂଯ ହୋଇଯାଇଥିଲା। ତେଣୁ ଆଖି ଦୁଇଟି ଭିତରକୁ ପଶିଯାଇଥିଲା। ସେହିପରି ଛେଣ୍ଡିପଦା ବ୍ଲକ କୁଶକିଳା ଅଞ୍ଚଳର ଯୁବକ ଜମ୍ବେଶ୍ୱର ନାଏକଙ୍କ ଗୋଟିଏ ଆଖି ଦୁର୍ଘଟଣା କାରଣରୁ ନଷ୍ଟ ହୋଇଥିଲା। ତାଙ୍କ ଡାହାଣ ପାର୍ଶ୍ୱ ଗାଲରେ ମାଡ଼ ହୋଇଥିବାବେଳେ ନାକ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଏପରି କି ଡାହାଣ ପାର୍ଶ୍ୱ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଡାହାଣ ଆଖି ଭିତରକୁ ପଶିଯାଇଥିଲା। ତେଣୁ ଆଖି ନ ଥିବା ଭଳି ଦେଖାଯାଉଥିଲା। ଦୁଇଟିଯାକ ଘଟଣାରେ ଆଖିର ଡୋଳା ଥିବା ସିଡିଏମ୍‌ଓ କହିଛନ୍ତି। ଏ ନେଇ ରିପୋର୍ଟ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଓ ପୋଲିସ ନିକଟକୁ ପଠାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ଶବ ସଂରକ୍ଷଣ ଗୃହ ଚାବି ଆଉ ଫାର୍ମାସିଷ୍ଟଙ୍କ ପାଖରେ ରଖା ନ ଯାଇ କାଜୁଆଲଟି ଡ୍ୟୁଟି କରୁଥିବା ଡାକ୍ତରଙ୍କ ପାଖରେ ରହିବ ବୋଲି ମେଡିକାଲ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏପରି କି ମରଶରୀର ଶବ ସଂରକ୍ଷଣ ଗୃହରେ ରଖାଯିବା ସମୟରେ କାର୍ଯ୍ୟରେ ଥିବା ଡାକ୍ତର ଉପସ୍ଥିତ ରହିବେ। ସେହିପରି ପଞ୍ଚନାମା ପାଇଁ ମୃତଦେହ ବାହାର କରାଯିବା ବେଳେ ପୋଲିସ ସହ ଡାକ୍ତର ସେଠାରେ ରହିବେ ବୋଲି ସ୍ଥିର କରାଯାଇଛି। ନୂତନ ଶବଗୃହ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ଆବଶ୍ୟକ ହେଉଥିବା ଯନ୍ତ୍ରାଂଶ ତୁରନ୍ତ ଯୋଗାଇ ଦେବା ପାଇଁ ମେଡିସିନ୍‌ କର୍ପୋରେଶନ୍‌କୁ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଅନୁରୋଧ କରାଯାଇଥିବା ସିଡିଏମ୍‌ଓ ସୂଚନା ଦେଇଛନ୍ତି। ଅପରପକ୍ଷରେ ଆଖି ଗାଏବ ଘଟଣାର ତଦନ୍ତ ପୋଲିସ ଚଳାଇଛି। ଅନୁଗୋଳ ଥାନାର କେତେଜଣ ଅଧିକାରୀ ମେଡିକାଲ ପରିସରର ଏକ ମେଡିସିନ୍‌ ଷ୍ଟୋରରେ ଲାଗିଥିବା ୫ଟି ସିସିଟିଭି ଯାଞ୍ଚ କରିଥିବା ଜଣାପଡ଼ିଛି।