ଆସିକା ବିଧାୟକ ପ୍ରାର୍ଥୀ ମନୋଜ ହତ୍ୟା ଘଟଣା: ପରିବାର ସଦସ୍ୟଙ୍କୁ ଭେଟିଲେ କଂଗ୍ରେସ ପଦାଧିକାରୀ

ଆସିକା,୩୦ା୫(ଡି.ଏନ୍‌.ଏ.): ପିସିସିର ଅନ୍ୟତମ ସମ୍ପାଦକ ତଥା ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତଥର କଂଗ୍ରେସ ପ୍ରାର୍ଥୀ ହୋଇଥିବା ମନୋଜ କୁମାର ଜେନାଙ୍କୁ ଗତ୨୨ ତାରିଖ ରାତିରେ ଗୁଳିମାଡ ହୋଇଥିଲା। ୨୩ ତାରିଖ ରାତିରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ ଘଟିଥିଲା। ହତ୍ୟାର ୬ଦିନ ପରେ ବୁଧବାର ଅପରାହ୍ନରେ କଂଗ୍ରେସର ବରିଷ୍ଠ ପଦାଧିକାରୀମାନେ ମନୋଜଙ୍କ ନୂଆଗଁାସ୍ଥିତ ବାସଭବନରେ ପହଞ୍ଚତ୍ ଶୋକସନ୍ତପ୍ତ ପରିବାରଙ୍କୁ ଭେଟିଥିଲେ। ମନୋଜଙ୍କ ବାପା, ଭାଇ ଓ ସ୍ତ୍ରୀଙ୍କୁ ସାନ୍ତ୍ବନା ଦେଇଥିଲେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧୀଙ୍କ ନିର୍ଦ୍ଦେଶମତେ ଏହି ପଦାଧିକାରୀମାନେ ଏଠାରେ ପହଞ୍ଚତ୍ଥିବା ଓ ପରିବାର ସଦସ୍ୟ ଭାବେ ସୁଖଦୁଃଖରେ ସାଥିରେ ରହିବା ନେଇ ଆଶ୍ୱାସନା ଦେଇଥିଲେ। ପିସିସି ଓଡ଼ିଶା ପ୍ରଭାରୀ ତଥା ଏଆଇସିସି ସାଧାରଣ ସମ୍ପାଦକ ଜିତେନ୍ଦ୍ର ସିଂ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା, ଜିଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା, ରାଜ୍ୟ ସହପ୍ରଭାରୀ ରୁଦ୍ର ରାଜୁ, ଅନିଲ୍‌ ଚୌଧୁରୀ, ଶମ୍ଭୁ ପାଣିଗ୍ରାହୀ, ଶୁଭେନ୍ଦୁ ମହାନ୍ତି, ବିଜୟ କୁମାର ସାହୁ ପ୍ରମୁଖ ଏହି ପ୍ରତିନିଧି ଦଳରେ ସାମିଲ ଥିଲେ। ଏହି ଅବସରରେ ଗଞ୍ଜାମ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ପ୍ରଭାରୀ ସିଂ ଅଭିଯୋଗ କରିଥିଲେ। ହତ୍ୟାକାଣ୍ଡର ସପ୍ତାହେ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ ସହ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଦାବି କରିଥିଲେ।
ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତି ପ୍ରାୟ ୯ଟାରେ ମନୋଜ କାର ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଦେଇ ଆସିକା ଫେରୁଥିଲେ। ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ପରିସ୍ରା କରିବାକୁ କାରରୁ ଓହ୍ଲାଇଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ମନୋଜଙ୍କ ଗଳାକୁ ଧାରୁଆ ଅସ୍ତ୍ରରେ କାଟି ଦେବା ସହ ଗୁଳିମାଡ କରିଥିଲେ।