Categories: ଜାତୀୟ

ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ: ୧୯ ଲକ୍ଷ ୬ ହଜାର ୬ଶହ ୫୭ଙ୍କ ନାମ ନାହିଁ

ଗୁଆହାଟୀ,୩୧।୮: ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇଛି। ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସାମିଲ୍‌ କରାଯାଇଛି। ତେବେ ଏହି ତାଲିକାରେ ୧୯ ଲକ୍ଷ ୬ ହଜାର ୬ଶହ ୫୭ ଜଣଙ୍କ ନାମ ନ ଥିବା କୁହାଯାଉଛି। ତାଲିକାରେ ନାମ ନ ଥିବା ଲୋକେ ଏଣିକି ୧୨୦ ଦିନ ମଧ୍ୟରେ ଫରେନରର୍ସ ଟ୍ରିବ୍ୟୁନାଲ୍‌ରେ ଅପିଲ୍‌ ଦାଖଲ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବୋଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଏନେଇ ୧୯୫୧ରେ ପ୍ରଥମ ଡ୍ରାଫ୍ଟ ଅଣାଯାଇଥିଲା। ପରେ ୨୦୧୮ ଜୁଲାଇ ୩୦ରେ ଏହା ପ୍ରକାଶ ପାଇଥିଲା। ଏଥିରେ ୪୦ ଲକ୍ଷ ୭୦ ହଜାର ଲୋକଙ୍କ ନାମ ନ ଥିଲା। ୨୦୦୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ କାର୍ଯ୍ୟକାଳରେ କେନ୍ଦସରକାର, ଆସାମ ରାଜ୍ୟ ସରକାର ଏବଂ ଆସାମ ଟ୍ରେଡ୍‌ ୟୁନିଅନ ମଧ୍ୟରେ ତ୍ରିପକ୍ଷୀୟ ବୈଠକ ହୋଇଥିଲା। ଏଥିରେ ଏନ୍‌ଆର୍‌ସି ଅପଡେଟ୍‌ ପାଇଁ ନିଷ୍ପତ୍ତି ହୋଇଥିଲା। ୨୦୧୩ରେ ସୁପ୍ରିମ୍‌ କୋର୍ଟ ଏନ୍‌ଆର୍‌ସି ଅପଡେଟ୍‌ ନିମନ୍ତେ ନିର୍ଦ୍ଦେଶ ଜାରି କରିଥିଲେ। ଏନେଇ ପ୍ରକ୍ରିୟା ୨୦୧୫ ଫେବୃୟାରୀରୁ ଆରମ୍ଭ ହୋଇଥିଲା। ମାମଲା ଗୁଡ଼ିକର ଶୀଘ୍ର ଫଇସଲା ପାଇଁ ଆସାମ ସରକାର ରାଜ୍ୟରେ ୪ ଶହ ବିଦେଶୀ ନ୍ୟାୟଧିକରଣ ସ୍ଥାପନ କରିବାକୁ ଯୋଜନା କରିଛନ୍ତି। ଇତିମଧ୍ୟରେ ୨ ଶହ ବିଦେଶୀ ନ୍ୟାୟଧିକରଣ ସ୍ଥାପନ ଲାଗି ପ୍ରକ୍ରିୟା ଜାରି ରହିଥିବା ଅତିରିକ୍ତ ମୁଖ୍ୟ ସଚିବ କୁମାର ସଞ୍ଜୟ କୃଷ୍ଣ ସୂଚନା ଦେଇଛନ୍ତି। ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟରେ ୫୧ କମ୍ପାନୀ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

Share