ଆଶୀର୍ବାଦ ଗିରଫ ହେବା ପ୍ରସଙ୍ଗ: ରିମାଣ୍ଡରେ ନେବନି ସିବିଆଇ; ପୁଅ ସଞ୍ଜୟ କହିଲେ ‘ଏହା ଷଡ଼ଯନ୍ତ୍ର’

କଟକ ଅଫିସ,୧୯।୯: ଆଗକୁ ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ନିର୍ବାଚନ ଥିବାବେଳେ ଗୁରୁବାର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ସିବିଆଇ ରିମାଣ୍ଡରେ ନେବନାହିଁ ବୋଲି ଜଣାପଡ଼ିଛି। ଏପରିସ୍ଥଳେ ଏହି ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଶୀର୍ବାଦ ଏବଂ ପୁଅ ସଞ୍ଜୟ ବେହେରା। ତାଙ୍କ ଗିରଫଦାରୀ ପଛରେ ରହସ୍ୟ ରହିଛି। ୧୨ ବର୍ଷ ପରେ କ’ଣ ପାଇଁ ତାଙ୍କୁ ଗିରଫ କରାଗଲା ବୋଲି ଆଶୀର୍ବାଦ ପ୍ରଶ୍ନ କରିଥିବା ବେଳେ ପୁଅ ସଞ୍ଜୟ ଏହାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ସିବିଆଇ ଅଫିସ ସମ୍ମୁଖରେ ପ୍ରତିକ୍ରିୟା ରଖି ଆଶୀର୍ବାଦ କହିଛନ୍ତି ଯେ, କାହିଁକି ଗିରଫ କରାଯାଇଛି ତାହା ଆପଣମାନେ ଜାଣନ୍ତି। ୧୨ ବର୍ଷ ପରେ ଗିରଫ କରାଯାଇଥିବା ଯୋଗୁ ଏହାକୁ ନେଇ ପ୍ରଶ୍ନ ଉଠୁଛି। ସେହିଭଳି ସଞ୍ଜୟ କହିଛନ୍ତି, ଆଗକୁ ଓସିଏ ନିର୍ବାଚନ ଅଛି। ନିର୍ବାଚନରେ ହାରିବା ଆଶଙ୍କାରେ ଷଡ଼ଯନ୍ତ୍ର କରାଯାଇଛି। ଅତିତରେ ଯେଉଁମାନେ ସହଯୋଗୀ ଥିଲେ ସେମାନେ ଷଡ଼ଯନ୍ତ୍ରକାରୀ। ଓପିଏଲ୍‌ରେ ଅର୍ଥତତ୍ତ୍ୱ ଅର୍ଥ ଲଗାଇବା ନେଇ ସମସ୍ତେ ଅବଗତ ଥିଲେ। ତେବେ ସକାଳେ ସିବିଆଇର ୧୫ ରୁ ୨୦ଜଣିଆ ଟିମ୍‌ ଆସିଥିଲେ। କୋର୍ଟ ଓ୍ବାରେଣ୍ଟ ବଳରେ ତାଙ୍କୁ ଗିରଫ କରାଯାଉଛି ବୋଲି ଜଣାଇଥିଲେୁ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଛନ୍ତି ଆଶୀର୍ବାଦ। ଗୁରୁବାର ସକାଳେ ସିବିଆଇର ଏକ ଟିମ୍‌ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।