ଆଶା,ଆଶଙ୍କାରେ ଭକ୍ତ

ବାରିପଦା ଅଫିସ,୧୧ା୬- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଶ୍ରୀ ଶ୍ରୀ ହରିବଳଦେବଜୀଉ ମନ୍ଦିରରେ ଆଉ ୧୨ ଦିନ ପରେ ଅର୍ଥାତ୍‌ ୨୩ ତାରିଖରେ ହେବ ରଥଯାତ୍ରା। ମହାମାରୀ କରୋନାକୁ ନେଇ ଜୁନ୍‌ ୩୦ ପର୍ଯ୍ୟନ୍ତ ସମସ୍ତ ଧାର୍ମିକପୀଠସ୍ଥଳୀ ବନ୍ଦ ହୋଇଥିବା ବେଳେ ଏଥର କିପରି ରଥଯାତ୍ରା କରାଯିବ ତାହାକୁ ନେଇ ସମସ୍ତେ ଆଶା ଓ ଆଶଙ୍କାରେ ରହିଛନ୍ତି। କିଛିଦିନ ତଳେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିଲା। ଏଥର ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ରଥ ଟାଣିବେ ନା ନାହିଁ ସେଥିତ୍ନେଇ ଅନିଶ୍ଚିତତା ଲାଗିରହିଛି। ମାତ୍ର ରଥ କାରିଗରମାନେ ରଥ ନିର୍ମାଣ କାର୍ଯ୍ୟରେ ହେଳା କରିନାହାନ୍ତି। ଦିନ ରାତି ପରିଶ୍ରମ କରି ସାମାଜିକ ଦୂରତ୍ୱ ଅବଲମ୍ବନ ଓ ମାସ୍କ ପିନ୍ଧି ରଥ ନିର୍ମାଣ କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ପୂର୍ବରୁ ରଥ ନିର୍ମାଣ ପାଇଁ ୩ ମାସ ସମୟ ଦିଆଯାଉଥିବା ବେଳେ ବର୍ତ୍ତମାନ ମାତ୍ର ଦେଢ଼ମାସ ସମୟ ଦିଆଯାଇଛି। ଏହା ମଧ୍ୟରେ ରଥ ନିର୍ମାଣର ଅଧିକାଂଶ କାର୍ଯ୍ୟ ସରି ଯାଇଥିବା ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପ୍ରତିବର୍ଷ ରଥ ନିର୍ମାଣ ଲାଗି ୪୦୦୦ରୁ ୪୫୦୦ ଲଗ୍‌ କାଠ ଲାଗେ। ହେଲେ ଚଳିତ ବର୍ଷ ଏଥିରୁ ମାତ୍ର ୪୦ ପ୍ରତିଶତ ଅର୍ଥାତ୍‌ ୧୬୦୦ ଲଗ୍‌ କାଠ ଦିଆଯାଇଛି। ବାକି ପୁରୁଣା କାଠରେ କାମଚଳା ଭାବେ ରଥନିର୍ମାଣ କରାଯାଉଛି। ୨୯ ଜଣ ବାରଚିଅ, ୮ ଜାଗିରିଙ୍କୁ ମିଶାଇ ମୋଟ ୩୭ ଜଣ କାରିଗରଙ୍କୁ ନେଇ ରଥ ନିର୍ମାଣ କାର୍ଯ୍ୟ ଚାଲୁରହିଛି। ଅନ୍ୟପକ୍ଷେ ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ପ୍ରତିବର୍ଷ ରଥଯାତ୍ରାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ହୋଇଥାଏ, ହେଲେ ଚଳିତ ବର୍ଷ କୌଣସି ପ୍ରସ୍ତୁତି ବୈଠକ ହୋଇ ନାହିଁ। ଯାହାକୁ ନେଇ ସେବାୟତମାନଙ୍କ ମନରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନ ପକ୍ଷରୁ କରୋନା ଯୋଗୁ ବୈଠକ ହୋଇ ପାରୁ ନ ଥିବା କୁହାଯାଉଥିଲେ ମଧ୍ୟ ସେବାୟତମାନେ ଏହାକୁ ମାନିବାକୁ ନାରାଜ। କାରଣ ଜିଲାରେ ଅନ୍ୟ ବୈଠକ ହେଉଥିବା ବେଳେ ପୁରୀରେ ମଧ୍ୟ ରଥ ଯାତ୍ରା ପାଇଁ ବୈଠକ ହେଉଛି। ସାମାଜିକ ଦୂରତ୍ୱ ଅବଲମ୍ବନ କରି ରଥଯାତ୍ରା ପାଇଁ ବୈଠକ କରାଗଲେ ଭଲ ହୁଅନ୍ତା ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି। ଏ ନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ବସନ୍ତ କୁମାର ସେଠୀଙ୍କୁ ପଚାରିବାରୁ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି, ରାଜ୍ୟ ସରକାରଙ୍କଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ପ୍ରକାର ରଥଯାତ୍ରା ଅନୁଷ୍ଠିତ ହେବ। ସେହଭିଳି ଚଳିତବର୍ଷ ଜନ ସମାଗମ ନ ହେବା ଆଶଙ୍କା ଥିବାରୁ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତି ବୈଠକ କରାଯାଇ ନାହିଁ। ଆଗାମୀ ଦିନରେ ରଥଯାତ୍ରା ନେଇ ପ୍ରସ୍ତୁତି ବୈଠକ କରାଯିବ ବୋଲି ସେ ପ୍ରକାଶ କରିଥିଲେ।