ଆର୍‌ଡି ବିଭାଗର କାର୍ଯ୍ୟକୁ ନେଇ ବଢୁଛି ଜନ ଅସନ୍ତୋଷ: ରାସ୍ତାକାର୍ଯ୍ୟ ନିମ୍ନମାନର, ହେଉନି ରକ୍ଷଣାବେକ୍ଷଣ

ନୂଆଗାଁ,୧୭ା୧ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଗ୍ରାମ୍ୟ ଉନ୍ନୟନ (ଆର୍‌ଡି) ବିଭାଗର କାର୍ଯ୍ୟକୁ ନେଇ ଜନ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ବିଭାଗ ଦ୍ୱାରା ନିର୍ମାଣ କରାଯାଉଥିବା ରାସ୍ତାଗୁଡିକ ଅତି ନିମ୍ନମାନର ହେଉଥିବାରୁ ତାହା ଅଳ୍ପଦିନ ମଧ୍ୟରେ ନଷ୍ଟ ହୋଇଯାଉଛି। ଅନ୍ୟପକ୍ଷେ ରାସ୍ତାର ରକ୍ଷଣାବେକ୍ଷଣ ନେଇ ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରଙ୍କ ନିୟମ ଅନୁସାରେ ଆର୍‌ଡି ବିଭାଗ ଦ୍ୱାରା ହେଉଥିବା ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ତାହାର ତଦାରଖ ଦାୟିତ୍ୱ ୫ବର୍ଷ ପର୍ଯ୍ୟନ୍ତ ସମ୍ପୃକ୍ତ ଠିକାଦାର ବହନ କରିବେ। ପୁନଶ୍ଚ ସେହି କାର୍ଯ୍ୟର ରକ୍ଷଣାବେକ୍ଷଣ ଠିକାଦାର ଠିକ୍‌ ଭାବେ କରୁଛନ୍ତି କି ନାହିଁ ତାହାକୁ ବିଭାଗୀୟ ଅଧିକାରୀ ତଦାରଖ କରିବେ। କିନ୍ତୁ ସମ୍ପୃକ୍ତ ଠିକାଦାର ବିଭାଗର କେତେକ ଅଧିକାରୀଙ୍କୁ ହାତବାରିସି କରିଥିବାରୁ ନିମ୍ନମାନର କାମ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି। ଫଳସ୍ବରୂପ କାର୍ଯ୍ୟ ସରିବାର ଅଳ୍ପ କିଛିଦିନ ମଧ୍ୟରେ ତାହା ନଷ୍ଟ ହୋଇଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏ ବିଷୟରେ ଅଧିକାରୀଙ୍କୁ ଜଣାଇଲେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ୫ବର୍ଷ ଯାଏ ତାହାକୁ ମରାମତି କରିବା ଦାୟିତ୍ୱ ଠିକାଦାରର ବୋଲି କହିଚାଲିଛନ୍ତି। ତେଣେ ଅଳ୍ପ କିଛିଦିନ ମଧ୍ୟରେ ରାସ୍ତା ନଷ୍ଟ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡୁଛି। ହେଲେ ଠିକାଦାର ମରାମତି କରିବାର ନାଁ ଧରୁନାହାନ୍ତି।
ନୂଆଗାଁ ବ୍ଲକର ୫୭ନଂ. ଜାତୀୟ ରାଜପଥଠାରୁ କାଣିଗିରି ପର୍ଯ୍ୟନ୍ତ ୬.୭୭୦ କିଲୋମିଟର ପାଇଁ ୩୨୧.୬୩ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ୧୮ ମାସ ନ ଯାଉଣୁ ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲାଣି। ସେହିପରି ୩ କୋଟି ୩୭ ଲକ୍ଷ ୮୬୧ ଟଙ୍କା ବ୍ୟୟରେ ନିର୍ମିତ କୋରଡାଠାରୁ କୃଷ୍ଣପ୍ରସାଦ ୬.୪୨୪ କି.ମି. ରାସ୍ତାର ରକ୍ଷଣାବେକ୍ଷଣ ଦାୟିତ୍ୱ ଅକ୍ଟୋବର ୨୦୨୨ ମସିହା ପର୍ଯ୍ୟନ୍ତ, ୨ କୋଟି ୭୫ ଲକ୍ଷ ୫୯ ହଜାର ଟଙ୍କା ବ୍ୟୟରେ ମହୀପୁରଠାରୁ ନନ୍ଦିଘୋଷପୁର ୫.୩ କି.ମି. ରାସ୍ତାର ୨୦୨୧ ମସିହା ପର୍ଯ୍ୟନ୍ତ ରହିଛି। ଏହିସବୁ ରାସ୍ତାଗୁଡିକରୁ ପିଚୁଉଠି ଖାଲ ସୃଷ୍ଟି ହୋଇଥିଲେ ମଧ୍ୟ ତାହାର ମରାମତି କରାଯାଉନି। ରକ୍ଷଣାବେକ୍ଷଣ ମଧ୍ୟରେ ରାସ୍ତା ଉପରେ ଗର୍ତ୍ତ ଓ ଫାଟ ମରାମତି, ରାସ୍ତାରୁ ଘାସ ଡାଳପତ୍ର କାଟି ସଫା କରିବା, ପାଣି କଟାଧାରର ପୁନଃ ମରାମତି, ପିଚୁ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ପକାଇବା, ବର୍ଷକୁ ଥରେ ଶଙ୍ଖ ଓ ପୋଲରେ ଧଳା ରଙ୍ଗ ମାରିବା ଆଦି କାର୍ଯ୍ୟ କରିବା ପାଇଁ ସୂଚନା ଫଳକରେ ଲେଖାରହିଥିଲେ ମଧ୍ୟ କୌଣସି କାର୍ଯ୍ୟ କରାଯାଉ ନାହିଁ। ଏପରି ଅଭିଯୋଗ ବିଷୟରେ ଆର୍‌ଡି ଏସ୍‌ଡିଓ ତ୍ରିଲୋଚନ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ଏଥିପ୍ରତି ଆଗରୁ ଅଧିକାରୀମାନେ ଦୃଷ୍ଟି ଦେଉ ନ ଥିଲେ। ଯାହା ଫଳରେ ରାସ୍ତା ନଷ୍ଟ ହୋଇଯାଇଛି। କିନ୍ତୁ ଯେଉଁ ଠିକାଦାରଙ୍କ ରାସ୍ତା କାମକୁ ୫ବର୍ଷ ପୂରି ନାହିଁ ସେମାନଙ୍କୁ ଆମେ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ନିର୍ଦ୍ଦେଶ ଦେଇଛୁ।