ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କରିବାକୁ ନୂଆ ପଦକ୍ଷେପ: କର୍ମଚାରୀଙ୍କ ପାଇଁ ହେବ ପରିଚୟ ପତ୍ର, ଲାଗିବ ସିସିଟିଭି

ଭୁବନେଶ୍ୱର,୨୮।୯(ବ୍ୟୁରୋ): ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ) କାର୍ଯ୍ୟାଳୟରେ ଦଲାଲଙ୍କ ଦ୍ୱାରା ଅନେକ ବ୍ୟକ୍ତି ଠକେଇର ଶିକାର ହେଉଛନ୍ତି। ଏପରିକି ରାଜ୍ୟ ସରକାର ଡିଜିପିଙ୍କୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟର ବିଭିନ୍ନ ଆର୍‌ଟିଓମାନଙ୍କରୁ ଅନେକ ଦଲାଲଙ୍କୁ ଗିରଫ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଶନିବାର ପରିବହନ କମିଶନର ଆର୍‌ଟିଓ ଅଫିସଗୁଡ଼ିକୁ ଚିଠି ଲେଖିଛନ୍ତି। ଚିଠିରେ ଦିଆଯାଇଥିବା ନିର୍ଦ୍ଦେଶାନୁଯାୟୀ ଦଲାଲଙ୍କ ପ୍ରବେଶ ଉପରେ କଟକଣା ନେଇ ନୋଟିସ୍‌ ମରାଯିବାକୁ କୁହାଯାଇଛି। ଏଥିସହ ଅଫିସ କିମ୍ବା ଟେଷ୍ଟିଂ ଟ୍ରାକ୍‌ରେ ଦଲାଲ ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ କୁହାଯାଇଛି। ଅଫିସର କୌଣସି କର୍ମକର୍ତ୍ତା ଯେପରି ଦଲାଲଙ୍କ ସଂସ୍ପର୍ଶରେ ନ ଆସନ୍ତି ସେ ନେଇ ସମସ୍ତଙ୍କୁ ଅବଗତ କରିବାକୁ କୁହାଯାଇଛି।

ସେହିପରି କର୍ମଚାରୀଙ୍କ ପାଇଁ ପରିଚୟ ପତ୍ର କରାଯିବ। ସରକାରୀଙ୍କ ପାଇଁ ବ୍ଲୁ(ନୀଳ) ବ୍ୟାଣ୍ଡର, ସର୍ଭିସ ପ୍ରଦାନକାରୀଙ୍କ ପାଇଁ ଗ୍ରୀନ୍‌(ସବୁଜ), ସ୍ମାର୍ଟ ଟିପ୍‌ ଲିମିଟେଡ କର୍ମଚାରୀଙ୍କ ପାଇଁ ଏଲୋ(ହଳଦିଆ) ବ୍ୟାଣ୍ଡର ପରିଚୟ ପତ୍ର ରହିବ। ସମସ୍ତ ସେବାଗୁଡ଼ିକ ପାଇଁ ନିଆଯାଉଥିବା ଚାର୍ଜ ଫି’ ନେଇ ବଡ ସାଇନ୍‌ ବୋର୍ଡ ଲଗାଯିବ। ଆବଶ୍ୟକ ମୁତାବକ ସିସିଟିଭି ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।