ଆର୍ମି ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୧୬ା୧୦(ବ୍ୟୁରୋ): ଆର୍ମି ପରୀକ୍ଷା ପାଇଁ ଟ୍ରେନରେ ମାତ୍ରାଧିକ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ବୁଧବାର ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳର ବ୍ୟବସ୍ଥା କରାଯାଇଛି। ବୁଧବାର ଓଡ଼ିଶାର ପିଲାମାନଙ୍କ ପରୀକ୍ଷା ଥିବାରୁ ଏହି ଦୁଇଟି ଟ୍ରେନର ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରେ ଭୁବନେଶ୍ୱରରୁ ଛାଡ଼ୁଥିବା ଟ୍ରେନଗୁଡିକରେ ମାତ୍ରାଧିକ ଭିଡ ଆଶଙ୍କା କରି ଭୁବନେଶ୍ୱରରୁ କୋରାପୁଟ ଓ ପୁରୀଠାରୁ ସମ୍ବଲପୁର ଯାତ୍ରା କରିବ। ପ୍ରଥମ ଟ୍ରେନଟି ବୁଧବାର ରାତି ୮ଟାରେ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେଶନରୁ ବାହାରି ବ୍ରହ୍ମପୁର, ବିଜୟନଗରମ ଓ ରାୟଗଡ଼ା ମାର୍ଗ ଦେଇ କୋରାପୁଟ ଯାତ୍ରା କରିବ। ଦକ୍ଷିଣ ଓଡ଼ିଶା ସହ କଳାହାଣ୍ଡି ଜିଲାର ପରୀକ୍ଷାର୍ଥୀ ଏହି ଟ୍ରେନରେ ଯାତ୍ରା କରିପାରିବେ। ଦ୍ୱିତୀୟଟି ବୁଧବାର ପୁରୀଠାରୁ ରାତି ୧୧ଟାରେ ଛାଡ଼ି ଭୁବନେଶ୍ୱର, ଢ଼େଙ୍କାନାଳ ଓ ଅନୁଗୁଳ ଦେଇ ସମ୍ବଲପୁର ଯାତ୍ରା କରିବ। ଏହି ଟ୍ରେନରେ ପଶ୍ଚିମ ଓଡ଼ିଶାରୁ ଆସିଥିବା ପରୀକ୍ଷାର୍ଥୀ ସୁବିଧାରେ ଯାତ୍ରା କରିପାରିବେ। ଏହା ବ୍ୟତୀତ ଖୋର୍ଦ୍ଧାରୋଡ଼-ଖଡ଼ଗପୁର ସୁପର ଫାଷ୍ଟ ପାସେଞ୍ଜର ଟ୍ରେନକୁ ଅପରାହ୍ନ ୪.୪୫ ପରିବର୍ତ୍ତେ ୭.୩୦ରେ ଛଡ଼ାଯିବ। ଏଥିରେ ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଅଞ୍ଚଳର ପରୀକ୍ଷାର୍ଥୀ ଉପକୃତ ହେବେ। କେବଳ ପରୀକ୍ଷାର୍ଥୀ ନୁହେଁ ଏହି ଟ୍ରେନରେ ସାଧାରଣ ଯାତ୍ରୀ ମଧ୍ୟ ଯାତ୍ରା କରିପାରିବେ। ଟିକଟ କାଉଣ୍ଟର କିମ୍ବା ମୋବାଇଲ ଯୋଗେ ଏହି ଟିକଟ କରିହେବ ବୋଲି ରେଳପଥ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ଉତ୍ତରାଖଣ୍ଡରୁ ଆସିବାକୁ ଥିବା ପିଲାମାନଙ୍କ ଲାଗି ମଧ୍ୟ ସ୍ବତନ୍ତ୍ର ଟ୍ରେନ କରାଯିବାକୁ ଯୋଜନା କରାଯାଉଛି। ଭୁବନେଶ୍ୱରରୁ ଖଡ଼ଗପୁର ପର୍ଯ୍ୟନ୍ତ ଏହି ଟ୍ରେନଟି ଚଳାଚଳ କରିବା ପାଇଁ ଚିନ୍ତା କରାଯାଉଛି। ଏହାଦ୍ୱାରା ଭୁବନେଶ୍ୱର ଷ୍ଟେଶନରୁ ଗହଳି କମିବା ସହ ପରିଚାଳନା ମଧ୍ୟ ସହଜରେ ହୋଇପାରିବ। ଆର୍ମି ପରୀକ୍ଷା ଆରମ୍ଭ ହେବା ଦିନରୁ ରେଲଓ୍ବେ ପାଇଁ ଏହା ଏକ ମୁଣ୍ଡବିନ୍ଧା କାରଣ ପାଲଟିଛି।