ଆର୍ଥିକ ଅନିୟମିତତା ଅଭିଯୋଗ : ସମବାୟ ବ୍ୟାଙ୍କର ୨ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କାମାକ୍ଷାନଗର, ୧୮।୫(ଡି.ଏନ୍‌.ଏ.)-ଆର୍ଥିକ ହେର୍‌ଫେର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରଜଙ୍ଗ ଶାଖାର ସୁପରଭାଇଜର ଶାନ୍ତନୁ କୁମାର ବରାଳ (୫୫) ଏବଂ କାମାକ୍ଷାନଗର ଶାଖାର ପୂର୍ବତନ ଆକାଉଣ୍ଟାଣ୍ଟ ସହଦେବ ସାହୁ (୬୧)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ କାମାକ୍ଷାନଗର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଶାନ୍ତନୁ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ଶାଖାରେ ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ନାମରେ ମିଥ୍ୟା ଋଣ ନାମରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା। ଏଥିରେ କେତେଜଣ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ବ୍ୟାଙ୍କ ଅଡିଟ୍‌ ବେଳେ ୧କୋଟି ୧୫ଲକ୍ଷ ୧୬ ହଜାର ୩୦୦ ଟଙ୍କାର ହିସାବ ମିଳି ନ ଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଶାଖା କର୍ତ୍ତୃପକ୍ଷ କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ଏ ନେଇ କଟକ କ୍ରାଇମ୍‌ବ୍ରାଞ୍ଚ ଶାଖାରେ ନଂ. ୭/୧୯, ଦଫା ୪୦୯, ୪୬୭, ୪୭୧, ୪୭୭ (ଏ), ୧୨୦ରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଶାନ୍ତନୁ, ସହଦେବଙ୍କ ସମେତ ତତ୍କାଳୀନ ଶାଖା ପରିଚାଳକ ଏବଂ କିରାଣିଙ୍କ ଏଥିରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିଥିଲା। ଅଭିଯୁକ୍ତମାନେ ତରବରିଆ ଭାବେ ବ୍ୟାଙ୍କରେ କିଛି ଅର୍ଥ ଦାଖଲ କରିଥିଲେ। ଏହାସତ୍ତ୍ୱେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲା। ସୂଚନାଯୋଗ୍ୟ, ପୂର୍ବତନ ଶାଖା ପରିଚାଳକ, କିରାଣି, ଆକାଉଣ୍ଟାଣ୍ଟଙ୍କ କାର୍ଯ୍ୟରୁ ଅବସର ନେଇସାରିଛନ୍ତି। କେବଳ ଶାନ୍ତନୁ ଚାକିରି ଅବଧି ଶେଷ ହୋଇ ନ ଥିବା ଜଣାପଡ଼ିଛି।