ଆରମ୍ଭ ହେଲା ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା: ଯୋଗଦେଇଛନ୍ତି ସାରା ଦେଶର ସାଧୁସନ୍ଥ

ଭୁବନେଶ୍ୱର, ୨।୨(ବ୍ୟୁରୋ): ଶନିବାର ପବିତ୍ର ମାଘ ସପ୍ତମୀରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଖଣ୍ଡଗିରି ମାଘମେଳା ବା କୁମ୍ଭମେଳା। ଭୋର୍‌ରୁ ସାଧୁସନ୍ଥମାନେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ମେଳାସ୍ଥଳରେ ପୂର୍ଣ୍ଣକୁମ୍ଭ ସ୍ଥାପନ କରି ସୂର୍ଯ୍ୟ ଉପାସନା ଆରମ୍ଭ କରିଛନ୍ତି। ଅଖଣ୍ଡ ଧୁନି ଜଳାଇ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛନ୍ତି। ହୋମଯଜ୍ଞ ସାଙ୍ଗକୁ ଜପତପ ଚାଲିଛି। ଦିନରେ ରାମଚରିତ ମାନସ ପାଠ ଓ ସନ୍ଧ୍ୟାରେ ଭଜନ କୀର୍ତ୍ତନ ସହ ରାମଧୂନ୍‌ରେ ଖଣ୍ଡଗିରି-ଉଦୟଗିରି ପାହାଡ଼ ଓ ଏହାର ପାଦଦେଶ ପୂରା ଅଞ୍ଚଳ ପ୍ରକମ୍ପିତ ହେଉଥିବାବେଳେ ଯଜ୍ଞରୁ ନିସୃତ ପୋଡ଼ାଘୃତର ମହକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି। ତପୋଭୂମି ଖଣ୍ଡଗିରିକୁ ଇତିମଧ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଓ ବିଭିନ୍ନ ସମ୍ପ୍ରଦାୟର ହଜାର ହଜାର ସାଧୁସନ୍ଥ ଛୁଟି ଆସିଥିବାବେଳେ ଏବେବି ସେମାନଙ୍କ ଆଗମନ ଜାରି ରହିଛି। କେତେଜଣ ସାଧୁ ଚନ୍ଦ୍ରଭାଗା ପରିବର୍ତ୍ତେ ଖଣ୍ଡିଗିରିର ପଞ୍ଚତୀର୍ଥ ପୁଷ୍କରିଣୀ ଓ ରାଧାକୁଣ୍ଡରେ ବୁଡ଼ ପକାଇ ଉପାସନା ଆରମ୍ଭ କରିଥିବା ଜଣାପଡିଛି। ଏହି ଅଖଣ୍ଡ ହୋମଯଜ୍ଞ ୯ଦିନ ଅର୍ଥାତ୍‌ ମାଘ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଚାଲିବ।

ଅନ୍ୟପକ୍ଷରେ ଶୁକ୍ରବାର ପ୍ରଭୁ ଅନନ୍ତକେଶରୀଙ୍କ ଘୋଷଯାତ୍ରା ପରେ ଶନିବାର ସାରେ ଜାଗମରା ନାଗାମଠରୁ ଠାକୁର ଉଦୟଗିରି ରାଣୀଗୁମ୍ଫା ଅଭିମୁଖେ ଘୋଷଯାତ୍ରାରେ ବାହାରିଥିଲେ। ବାଜା, ବାଣ ଓ ରୋଶଣି କରି ପ୍ରଭୁଙ୍କୁ ଏକ ବିଶାଳ ପଟୁଆରରେ ନିଆଯାଇଥିଲା। ସେଠାରେ ସେ ରାଣୀ ହଂସପୁରଠାରେ ବିଜେ ହୋଇଥିଲେ। ଶୋଭାଯାତ୍ରା ଅବସରରେ ପ୍ରଭୁଙ୍କୁ ବାଟସାରା ଚାଚେରି ଭୋଗ ଲାଗି କରାଯାଇଥିଲା। ବିଧି ଅନୁସାରେ ପ୍ରଭୁ ଅନନ୍ତକେଶରୀ ରାଣୀଗୁମ୍ଫାରେ କିଛି ସମୟ ଅବସ୍ଥାନ କରିଥିଲେ ଓ ଲଳିତାକୁଣ୍ଡରେ ଚାପ ଖେଳିଥିଲେ। ପୂଜାର୍ଚ୍ଚନା ପରେ ରାତାରାତି ପ୍ରଭୁ ପୁଣି ନାଗାମଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପ୍ରଭୁ ଫେରିବାବେଳେ ଯେମିତି ତାଙ୍କୁ କେହି ନ ଦେଖିବେ ସେହିପରି ତାଙ୍କୁ ସେଠାକୁ ଅଣାଯାଇଥିଲା।