ଆରମ୍ଭ ହେଲା ଘୋଷଯାତ୍ରା: ଭକ୍ତମୟ ପୁରୀ; ପହଣ୍ଡି ବିଜେରେ ଆସିଲେଣି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପଛରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୪।୭: ରଥ ପ୍ରସ୍ତୁତ। ପଥ ପ୍ରସ୍ତୁତ। ଥିଲା ମହାପ୍ରଭୁଙ୍କୁ ଅପେକ୍ଷା। ଶେଷରେ ଅପେକ୍ଷାର ଅନ୍ତ ଘଟାଇ ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସୁଛନ୍ତି ପ୍ରଭୁ ଜଗନ୍ନାଥ। ଗୁରୁବାର ପହଣ୍ଡି ବିଜେ ନୀତି ଆରମ୍ଭ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କରାଯାଉଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଶେଷ ହୋଇଛି। ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ପ୍ରଭୁଙ୍କୁ ସ୍ଥାପନା କରାଯିବା ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି କରାଯାଇଛି। ପରେ ଭଉଣୀ ସୁଭଦ୍ରା ପହଣ୍ଡି ବିଜେ କରାଯାଉଛି। ସେହିଭଳି ପଛରେ ରହିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ଦିବ୍ୟ ଟାହିଆ ସୁଶୋଭିତ ହୋଇ ଭକ୍ତ ଓ ସେବାୟତଙ୍କ ଗହଣରେ ପ୍ରଭୁ ବାଇଶି ପାହାଚରୁ ଓହ୍ଲାଇ ଆସିବାର ଦୃଶ୍ୟ ସମସ୍ତଙ୍କୁ ବିମୋହିତ କରୁଛି।

ତେବେ ପୂର୍ବ ନିର୍ଦ୍ଧାରିତ ସମୟ ମୁତାବକ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ପହୁଡ଼ ଆଳତି ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ କରାଯିବ। ଏହାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିବେ। ଏହାପରେ ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବା ସ୍ଥିର କରାଯାଇଥିଲା।