ଆରମ୍ଭ ହେଲା କାର୍ତ୍ତିକ ବ୍ରତ, ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ଭିଡ଼

ପୁରୀ ଅଫିସ,୧୪।୧୦: ସୋମବାରଠାରୁ ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ। ପ୍ରତ୍ୟୁଷରେ ହବିଷିଆଳିମାନେ ପଞ୍ଚତୀର୍ଥରେ ସ୍ନାନକରି ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଏହାପରେ ତୁଳସୀ ଚଉରାମୂଳେ ରାଇ ଦାମୋଦରଙ୍କୁ ପୂଜାକରି ବ୍ରତ ଆରମ୍ଭ କରିଛନ୍ତି। ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କର ଭିଡ଼ ଦେଖିବାକୁ ମିଳୁଛି। ବିଭିନ୍ନ ମଠ, ମନ୍ଦିରରେ ବ୍ରତଧାରୀ ରହିଥିବାବେଳେ ସରକାରଙ୍କ ପକ୍ଷରୁ ୩ଟି ଆଶ୍ରୟସ୍ଥଳର ବ୍ୟବସ୍ଥା ହୋଇଛି। ଏହି ୩ଟି ଆଶ୍ରୟସ୍ଥଳରେ ପ୍ରାୟ ୨,୬୦୦ରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିସ କନ୍‌ଫରେନ୍ସିଂ ମାଧ୍ୟମରେ ହବିଷିଆଳି ଆଶ୍ରୟସ୍ଥଳର ଉଦ୍‌ଘାଟନ କରିବେ। ଏଥିପାଇଁ ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ହୋଇଛି। ମାସେ ପର୍ଯ୍ୟନ୍ତ ହବିଷିଆଳିମାନେ ଶ୍ରୀକ୍ଷେତ୍ରରେ ରହି ବ୍ରତ ପାଳିବେ।
ହବିଷିଆଳିମାନଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ ସେଥିପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଯତ୍ନବାନ ରହିଛି। ପ୍ରତ୍ୟେକ ଆଶ୍ରୟସ୍ଥଳ ପାଇଁ ଜଣେ ସୁପର ଭାଇଜିଂ ଅଫିସର ଏବଂ ୩ଜଣଙ୍କୁ କୋଅର୍ଡିନେଟିଂ ଅଫିସର ଦାୟିତ୍ୱ ଦିଆଯାଇଛି। ରେଳଓ୍ବେ ଟୁରିଷ୍ଟ କମ୍ପ୍ଲେକ୍ସ ପାଇଁ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜିକା ସୌନ୍ଦର୍ଯ୍ୟମଞ୍ଜରୀ ଦାସ, ପୌରକଲ୍ୟାଣ ମଣ୍ଡପ ପାଇଁ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ନରେନ୍ଦ୍ରକୋଣ ହବିଷିଆଳି ଆଶ୍ରୟସ୍ଥଳୀ ଲାଗି ଶ୍ରୀମନ୍ଦିର ରାଜସ୍ବ ପ୍ରଶାସକ ସୁବ୍ରତ କୁମାର ବେହେରା ସୁପରଭାଇଜିଂ ଅଫିସର ରହିଛନ୍ତି।