ଆରମ୍ଭ ହେଲା ଏସ୍‌ଆଇଏ ସର୍ଭେ

ପୁରୀ ଅଫିସ,୧।୧୦: ଶ୍ରୀମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରିଠାରୁ ୭୫ମିଟର ପରିଧି ମଧ୍ୟରେ ଥିବା ସବୁ ନିର୍ମାଣ ଉଚ୍ଛେଦ କରାଯିବ। ଏହି ସୁରକ୍ଷା ଜୋନ ମଧ୍ୟରୁ ମଠ, ମନ୍ଦିର, ଦୋକାନ, ଲଜ୍‌, ବାସଗୃହ ଆଦି ଭଙ୍ଗାଯାଇ ଜମି ଅଧିଗ୍ରହଣ ହେବ। ଏଥିଲାଗି ସୋମବାରଠାରୁ ସାମାଜିକ ପ୍ରଭାବ ନିର୍ଦ୍ଧାରଣ (ଏସ୍‌ଆଇଏ) ସର୍ଭେ ଆରମ୍ଭ ହୋଇଛି। ଏ ନେଇ ଗଠିତ ୫ଟି ଟିମ୍‌ ଘରକୁ ଘର ବୁଲି ସର୍ଭେ କରୁଛନ୍ତି। ୫ ଶିକ୍ଷାନବିସ ଆଇଏଏସ୍‌ ଅଧିକାରୀ ଏହି ୫ଟିମ୍‌ର ନେତୃତ୍ୱ ନେଉଛନ୍ତି। ନବକୃଷ୍ଣ ଚୌଧୁରୀ ବିକାଶ ଶିକ୍ଷାକେନ୍ଦ୍ରର କର୍ମଚାରୀ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ସର୍ଭେ ହେଉଛି। ପ୍ରଥମ ଦିନର ସର୍ଭେ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ପୂର୍ବାହ୍ନ ୧୧ଟାରେ ଟିମ୍‌ଗୁଡ଼ିକ ପହଞ୍ଚତ୍ ଏସ୍‌ଆଇଏ ସର୍ଭେ ଆରମ୍ଭ କରିଥିଲେ। ପ୍ରଥମେ ଉତ୍ତର ଦ୍ୱାର ପାର୍ଶ୍ୱସ୍ଥ ଚୁଡ଼ଙ୍ଗସାହି ମୌଜାର ସର୍ଭେ କରାଯାଇଥିଲା। ଏହି ମୌଜାରୁ ପ୍ରାୟ ୪ଏକର ଜମି ଅଧିଗ୍ରହଣ କରାଯିବ। ଚୁଡ଼ଙ୍ଗ ସାହି ମୌଜା ବାଣୁଆସାହିର ପ୍ରତ୍ୟେକ ଘରକୁ ଯାଇ ଅଧିକାରୀ ଏବଂ କର୍ମଚାରୀମାନେ ସର୍ଭେ କରିଥିଲେ। ବିସ୍ଥାପିତ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କ ମତାମତ ନେଇଥିଲେ। ରାଜ୍ୟ ସରକାରଙ୍କ ଭୂମି ଅଧିଗ୍ରହଣ ଆଇନ, ପୁନର୍ବାସ ଓ ଥଇଥାନ ସହାୟତା କ’ଣ ରହିଛି ତାହା ବୁଝାଇଥିଲେ। ଏହାପରେ ସାମାଜିକ ପ୍ରଭାବ ନିର୍ଦ୍ଧାରଣ ଲାଗି ଥିବା ନିର୍ଦ୍ଦିଷ୍ଟ ଫର୍ମାଟ ଅନୁଯାୟୀ ପ୍ରତ୍ୟେକ ପରିବାରରେ କେତେ ଜମି, କେତେ ଜମି ଉପରେ ଘର, କେତେ ମହଲା କୋଠା, ପରିବାର ସଦସ୍ୟ ସଂଖ୍ୟା ଆଦି ବିଭିନ୍ନ ତଥ୍ୟ ସଂଗ୍ରହ କରିଥିଲେ। କୋଠା, ଜମିର ମାପଚୁପ ମଧ୍ୟ କରିଥିଲେ। ପ୍ରଥମ ଦିନରେ ୧୦ଟି ଘରର ସର୍ଭେ ହୋଇଛି ଓ ଲୋକେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ସର୍ଭେ ପୂର୍ବରୁ ୩୦ ପ୍ରତିଶତ ବିସ୍ଥାପିତ ହେବାକୁ ଥିବା ଲୋକେ ଆସି ପ୍ରଶାସନ ସହ ଆଲୋଚନା କରିଛନ୍ତି। ଆଲୋଚନା ସକାରାତ୍ମକ ଥିଲା। ତେଣୁ ଆଗକୁ ସମସ୍ତଙ୍କ ସହଯୋଗ ମିଳିବ ଏବଂ କାମ ତ୍ୱରାନ୍ବିତ ହେବ ବୋଲି ଆମେ ଆଶା ରଖିଛୁ।
ସୂଚନାଥାଉ କି, ଶ୍ରୀମନ୍ଦିର ଚୌହଦିର ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ ଥିବା ୫ଟି ମୌଜା ବାସେଳି ସାହି, ମଣିକର୍ଣ୍ଣିକା ସାହି, କାଳିକାଦେବୀ ସାହି, ଦୋଳମଣ୍ଡପ ସାହି ଓ ଚୁଡ଼ଙ୍ଗ ସାହିରେ ଏହି ସର୍ଭେ କରାଯିବ। ଉକ୍ତ ମୌଜାଗୁଡ଼ିକରୁ ସରକାରୀ ଓ ଘରୋଇ ଜମିକୁ ମିଶାଇ ୧୫.୧୯୧ ଏକର ଜମି ଅଧିଗ୍ରହଣ ହେବ। ୨୩୦ ଘର ସମେତ ପ୍ରାୟ ୩୦୦ ପ୍ଲଟରେ ସର୍ଭେ କରାଯାଇ ସବିଶେଷ ତଥ୍ୟ ସଂଗ୍ରହ କରାଯିବ।