ଆମ ସଂସ୍କୃତିରେ ଶ୍ରାଦ୍ଧ

ଅଲେଖ ଚନ୍ଦ୍ର ମିଶ୍ର
”ପ୍ରିୟ ପୁତ୍ର! ଯାହା ମୁଁ ଖୁସିରେ ନିଜ ହାତରେ ତତେ ଦେଇଥାନ୍ତି ତାକୁ ତୁ ମୋଠାରୁ ଜୋର୍‌କରି ଛଡ଼େଇ ନେଲୁ (ସାମ୍ରାଜ୍ୟ)। ସେଥିରେ ମୋର ଦୁଃଖ ନାହିଁ। ମୃତ୍ୟୁର ଯନ୍ତା ଭଳି ଏ ନିର୍ଜନ କାରାଗାରରେ ବନ୍ଦୀ କଲୁ। ତଥାପି ଦୁଃଖ ନାହିଁ। ଖାଇବା ପିଇବା ବନ୍ଦ କରିଦେଲୁ। ତେବେ ବି ଦୁଃଖ ନାହିଁ। ଦୁଃଖ ଖାଲି ଏଇଥି ପାଇଁ ଯେ ଏହି ସାମ୍ରାଜ୍ୟର ସୁରକ୍ଷା ପାଇଁ ମୁଁ ଯେଉଁ ନିରୀହ ହିନ୍ଦୁମାନଙ୍କୁ ଅନେକ କଷ୍ଟ ଦେଇଛି, କେତେ ଉଦାର ସେମାନଙ୍କର ହୃଦୟ, କେତେ ମହାନ୍‌ ସେମାନଙ୍କ ସଂସ୍କୃତି! ମୃତ୍ୟୁ ପରେ ବି ସେମାନେ ନିଜ ମାତାପିତାଙ୍କୁ ଖାଇବା ପିଇବାକୁ ଦିଅନ୍ତି। ଅଥଚ ମୁଁ ବଞ୍ଚିଥିଲା ବେଳେ ତୁ ମତେ ମୁଠାଏ ଖାଇବାକୁ କି ଢୋକେ ପିଇବାକୁ ନ ଦେଇ କଲବଲ କରି ମାରୁଛୁ। ହାୟ…!“
ଇଏ ଥିଲା ମୋଗଲ ସମ୍ରାଟ ଶାହାଜାହାନ୍‌ଙ୍କର ତାଙ୍କ ପୁତ୍ର ଔରଙ୍ଗଜେବଙ୍କ ପାଇଁ ଅନ୍ତିମ ବାର୍ତ୍ତା। ସେ ଦିନ ଯାହା ବିଳାସୀ ବାଦ୍‌ଶାହଙ୍କର ହୃଦୟକୁ ବ୍ୟଥିତ କରିଥିଲା ତା’ର ରହସ୍ୟ ଉନ୍ମୋଚନ ପାଇଁ ସାରା ବିଶ୍ୱ ବି କୌତୂହଳୀ। ତାହା ହେଲା ହିନ୍ଦୁ ସଂସ୍କୃତିର ମହାନ୍‌ ପରମ୍ପରା ଓ ପାରିବାରିକ ମମତାର ବନ୍ଧନ, ଯାହା ମୃତ୍ୟୁ ପରେ ବି ଅତୁଟ ରହେ। ଅବଶ୍ୟ ମୃତକଙ୍କ ପାଇଁ ବିଭିନ୍ନ ଦେଶରେ ବିଭିନ୍ନ ପ୍ରଥା ପ୍ରଚଳିତ। କେଉଁଠି ପୀରାମିଡ୍‌ ଗଢ଼ାହୁଏ ତ କେଉଁଠି ସମାଧି ବନାଯାଏ। କେଉଁଠି ଗମ୍ବୁଜ (ଟମ୍ବ) ତିଆରି ହୁଏ ତ କେଉଁଠି ସ୍ମୃତିସ୍ତମ୍ଭ (ପ୍ରତିମୂର୍ତ୍ତି) ତୋଳାହୁଏ। ହେଲେ ପ୍ରାୟ ସର୍ବତ୍ର ମୃତ୍ୟୁ ପରବର୍ତ୍ତୀ ପ୍ରକ୍ରିୟା ଏତିକିରେ ଶେଷ ହୋଇଯାଏ, ଯାହା ଏକକାଳୀନ ଅନୁଷ୍ଠାନ। କିନ୍ତୁ ପିଢ଼ିପିଢ଼ି ଧରି ମୃତକଙ୍କ ସ୍ମୃତିଚାରଣ କରିବା କେବଳ ହିନ୍ଦୁ ସଂସ୍କୃତିରେ ହିଁ ଦେଖିବାକୁ ମିଳେ। ମୃତ୍ୟୁ ପରଠାରୁ ପକ୍ଷବ୍ୟାପୀ ସଂସ୍କାରାଦି ପ୍ରେତକ୍ରିୟା ସହିତ ଯେଉଁ ମାସିକ ଓ ସାମ୍ବତ୍ସରିକ ବିଧିବିଧାନ ରହିଛି ତା’ର ଏକ ଅଂଶବିଶେଷ ହେଲା ‘ଶ୍ରାଦ୍ଧ’ (ଶ୍ରଦ୍ଧାରୁ ଉପନ୍ନ)।
ଆର୍ଯ୍ୟ ସଂସ୍କୃତିର ମୂଳପିଣ୍ଡ ଚତୁର୍ବେଦ ମଧ୍ୟରୁ ଋକ୍‌ବେଦରେ ଏହି ସମଗ୍ର ପ୍ରକ୍ରିୟାର ବିଶଦ ବର୍ଣ୍ଣନା କରାଯାଇଛି, ଯାହାର କିଞ୍ଚିତ୍‌ ସୂଚନା ନିମ୍ନରେ ପ୍ରଦତ୍ତ ହେଲା। ମୃତ୍ୟୁ ପରେ ଜୀବ ପ୍ରେତଲୋକରେ ପ୍ରବେଶ କରେ, ଯେଉଁଠି ତା’ର ସୂକ୍ଷ୍ମ ଶରୀର ଦୁଃଖ, ଶୋକ, ଯନ୍ତ୍ରଣା, ଅବସୋସ, ଅସମ୍ପୂର୍ଣ୍ଣ କାମନା ଇତ୍ୟାଦିର ସମ୍ମୁଖୀନ ହୁଏ। ସେଠାରେ ଆଲୋକ, ଜଳ, ପବନ, ଭୋଜନର ଅଭାବ ଥାଏ। ତେଣୁ ଶ୍ରାଦ୍ଧ କର୍ମରେ ଦୀପ, ଜଳ, ବ୍ୟଞ୍ଜନ, ଭୋଜ୍ୟ (ପାକସିଦ୍ଧ ଅନ୍ନାଦି) ତାକୁ ଅର୍ପଣ କରାଯାଏ। ଦାନ, ଧ୍ୟାନ, ବ୍ରାହ୍ମଣ ଭୋଜନ, ନାମ ସଂକୀର୍ତ୍ତନ ଇତ୍ୟାଦି କଲା ପରେ ସେ ପ୍ରେତଲୋକର ଯନ୍ତ୍ରଣାରୁ ମୁକ୍ତ ହୋଇ ପିତୃଲୋକକୁ ଗମନ କରେ ଯେଉଁଠି ଶାନ୍ତି ଓ ଆନନ୍ଦ ମିଳେ। ଏହି ପ୍ରକ୍ରିୟାକୁ ପରବର୍ତ୍ତୀ ବଂଶଧରମାନେ ଶିଖନ୍ତି ଏବଂ ଆଚରଣ କରନ୍ତି, ଯାହାଫଳରେ ଜୀବ ଏ ସୁବିଧାରୁ ବଞ୍ଚିତ ହୁଏନା। ସେଥିପାଇଁ ସମସ୍ତେ ଚାହାନ୍ତି, ତାଙ୍କର ବଂଶ ଲୋପ ନ ହେଉ ବା ବଂଶରେ ଜାରଜ, ବର୍ଣ୍ଣସଂକର ବା ପ୍ରତିଲୋମଜ ସନ୍ତାନ ଜନ୍ମ ନ ହୁଅନ୍ତୁ। କାରଣ ତାହାହେଲେ ମୃତ୍ୟୁପରେ ସେ ‘ଲୁପ୍ତପିଣ୍ଡୋଦକ’ ହୋଇ ବା ପିଣ୍ଡପାଣି ନ ପାଇ ନରକଗାମୀ ହେବ। (ସଂକରୋ ନରକାୟୈବ କୁଳଘ୍ନାନାଂ କୁଳସ୍ୟଚ, ପତନ୍ତି ପିତରାଃ ହ୍ୟେଷାଂ ଲୁପ୍ତପିଣ୍ଡୋଦକକ୍ରିୟାଃ- ଗୀତା)।
ଶ୍ରାଦ୍ଧ ବର୍ଷକରେ ଥରେ ପ୍ରାଣୀର ମୃତ୍ୟୁ ଦିବସରେ ଅନୁଷ୍ଠିତ ହୁଏ। କାରଣ ମୃତ୍ୟୁଲୋକର ଏକବର୍ଷ ପିତୃଲୋକର ଏକଦିନ ସହିତ ସମାନ। ଏହା ପାର୍ବଣ (ତିନିପୁରୁଷ ପାଇଁ) କିମ୍ବା ଏକୋଦିଷ୍ଟ (ଏକ ପୁରୁଷ ପାଇଁ) ହୋଇପାରେ। ସାମ୍ବତ୍ସରିକ ଶ୍ରାଦ୍ଧ ବ୍ୟତୀତ ମହାଳୟା ଶ୍ରାଦ୍ଧ, ପୟାଶ୍ରାଦ୍ଧ, ଗୟା ଶ୍ରାଦ୍ଧ ଓ ଶ୍ରୀମନ୍ଦିର ବାଇଶି ପାହାଚରେ ଶ୍ରାଦ୍ଧ ଆଦି ସାମଗ୍ରିକ ଶ୍ରାଦ୍ଧକର୍ମର ଆନୁଷଙ୍ଗିକ। ଶାସ୍ତ୍ରରେ ଅଛି- ”ସୂର୍ଯ୍ୟେ କନ୍ୟାଗତେ ଶ୍ରାଦ୍ଧଂ ଯୋ ନ କୁର୍ଯ୍ୟାତ୍‌ ଗୃହାଶ୍ରମୀ।
ଧନପୁତ୍ରାଦି କୁତଃ ତସ୍ୟ ପିତୃନିଃଶ୍ୱାସପୀଡ଼ନାତ୍‌।ା“ କନ୍ୟା ବା ଆଶ୍ୱିନ ମାସରେ ଯେଉଁ ଗୃହସ୍ଥ ପିତୃପକ୍ଷ ଶ୍ରାଦ୍ଧ ନ ଦିଏ ପିତୃପୁରୁଷଙ୍କର ନିଃଶ୍ୱାସରେ ତା’ର ଧନ ଓ ସନ୍ତାନଙ୍କର ଅମଙ୍ଗଳ ହୁଏ। ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ। ଯାହାର ପିତୃପୁରୁଷ ଯେଉଁ ତିଥିରେ ମୃତ୍ୟୁବରଣ କରିଥିବେ ଏହି ପନ୍ଦର ଦିନ ମଧ୍ୟରେ ସେହି ତିଥିରେ ସେ ଶ୍ରାଦ୍ଧ କରିବା ବିଧି। କୌଣସି କାରଣରୁ ଏହି ତିଥିରେ ଶ୍ରାଦ୍ଧ ଦେଇ ନ ପାରିଲେ ମହାଳୟା ଅମାବାସ୍ୟା ଦିନ ଶ୍ରାଦ୍ଧ କରିବ। ସେଦିନ ବି ସମ୍ଭବ ନ ହେଲେ ତା’ ପର ଦୀପାବଳି ଅମାବାସ୍ୟାରେ ମିଳେ ଶେଷ ସୁଯୋଗ, ଯାହାକୁ ପୟାଶ୍ରାଦ୍ଧ କୁହାଯାଏ। ଏହିଦିନ ପୂର୍ବପୁରୁଷ (ବଡବଡୁଆ)ଙ୍କୁ ଆହ୍ବାନ କରାଯାଏ- ବଡବଡୁଆ ହୋ! ଅନ୍ଧାରରେ ଆସ, ଆଲୁଅରେ ଯାଅ, ବାଇଶିପାହାଚରେ ଗଡ଼ଗଡ଼ଉଥାଅ।
ବିହାରର ଗୟାଠାରେ ତ୍ରିସ୍ତରୀୟ (ବିଷ୍ଣୁ ପାଦତୀର୍ଥେ, ଗୟାଶିରେ, ଅକ୍ଷୟବଟ ତଳେ ଏବଂ ଫଲ୍‌ଗୁନଦୀତଟେ) ଶ୍ରାଦ୍ଧ ପ୍ରଦାନ କଲେ ପିତୃପୁରୁଷ ମୁକ୍ତିଲାଭ କରନ୍ତି ଏବଂ ଲୌକିକ ଶ୍ରାଦ୍ଧ ପାଇଁ ଆଉ ଅପେକ୍ଷା କରନ୍ତି ନାହିଁ ବୋଲି ଶାସ୍ତ୍ରରେ ବର୍ଣ୍ଣିତ। ଗୟା ପରେ ନାଭିଗୟା (ଯାଜପୁରର ବିରଜା କ୍ଷେତ୍ରସ୍ଥ) ଓ ଶ୍ରୀମନ୍ଦିରର ବାଇଶି ପାହାଚରେ ପିଣ୍ଡଦାନ ଦେଲେ ସମଗ୍ର ଶ୍ରାଦ୍ଧ ପ୍ରକ୍ରିୟାର ସମାପ୍ତି ଘଟେ।
ଉପଯୁକ୍ତ ପୁରୋହିତଙ୍କ ଦ୍ୱାରା ଶ୍ରାଦ୍ଧ କରିବା ଉଚିତ। ଲୋକଙ୍କୁ ଖାଇବାକୁ ଦେଲେ ପିତୃପୁରୁଷ ସନ୍ତୁଷ୍ଟ ହୁଅନ୍ତି। ତେଣୁ ଶ୍ରାଦ୍ଧଦିନ ବ୍ରାହ୍ମଣଭୋଜନ ଦେବାର ନିୟମ ଅଛି। ଶ୍ରାଦ୍ଧ ଦିନ ତେଲ ଲଗାଇବା ଅନୁଚିତ। (ବ୍ରତୋପବାସେ ଶ୍ରାଦ୍ଧେ ଚ ନ ତୈଳଂ ସେବତେ ନରଃ)। ପିଣ୍ଡଦାନ ପୂର୍ବରୁ ପାନଭୋଜନ ନିଷିଦ୍ଧ। ଦ୍ୱିବାର ଅନ୍ନଭକ୍ଷଣ ବି ନିଷିଦ୍ଧ। ଓଦା ଲୁଗା ଶୁଖେଇବା (ଶ୍ରାଦ୍ଧ ଶେଷ ପର୍ଯ୍ୟନ୍ତ) ମନା। ଶ୍ରାଦ୍ଧ ଦିନ ଗୀତାପାଠ କରଣୀୟ। (ପିତୃନୁଦ୍ଦିଶ୍ୟ ଯଃ ଶ୍ରାଦ୍ଧେ ଗୀତାପାଠଂ କରୋତି ହି, ସନ୍ତୁଷ୍ଟାଃ ପିତରଃ ତସ୍ୟ ନିରୟାଦ୍‌ ଯାନ୍ତି ସ୍ବର୍ଗତିମ୍‌।)
ଏହାଛଡା ପ୍ରତ୍ୟେକ ଗୃହସ୍ଥ ପ୍ରତିଦିନ ସ୍ନାନ ପରେ ଓଦାବସ୍ତ୍ରରେ ପିତୃକୁଳ ଓ ମାତୃକୁଳର ତିନି ପୁରୁଷଙ୍କୁ ଅର୍ଘ୍ୟ (ଜଳ) ଦାନ କଲେ ସେମାନେ ପ୍ରୀତ ହୋଇ ବଂଶବୃଦ୍ଧି ପାଇଁ ଆଶୀର୍ବାଦ କରନ୍ତି। ସମୟର ଯେତେ ଅଭାବ ଥିଲେ ବି ଆମକୁ ଜନ୍ମ ଦେଇଥିବା ମାତାପିତାଙ୍କ ପାଇଁ ବର୍ଷକରେ ଥରଟିଏ ଏତିକି କର୍ମ କରିବା କ’ଣ ଅସମ୍ଭବ? ବରଂ ସେମାନଙ୍କର ଜୀବଦ୍ଦଶାରେ ଆମେ ଯଦି ସେମାନଙ୍କ ନିକଟରେ କିଛି ତ୍ରୁଟି କରିଥାଉ ଶ୍ରାଦ୍ଧ ମାଧ୍ୟମରେ ତା’ର ସଂଶୋଧନ ହୁଏ। ଅତଏବ ଶ୍ରାଦ୍ଧ ପ୍ରତି କୌଣସି ପ୍ରକାର କୁଣ୍ଠାବୋଧ ରହିବା ଉଚିତ ନୁହେଁ।
ଭୁବନେଶ୍ୱର, ମୋ-୯୪୩୮୬୭୩୮୯୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri