‘ଆମ ଗଁ। ଆମ ବିକାଶ’ ଯୋଜନାରେ ଅର୍ଥ ହଡ଼ପ ଅଭିଯୋଗ

ଭଦ୍ରକ ଅଫିସ, ୨୪।୭: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆଗଁ। ପଞ୍ଚାୟତ ଜନ୍ତୁଆଳି ରାଜସ୍ବ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ‘ଆମ ଗଁ। ଆମ ବିକାଶ’ ଯୋଜନାରେ ଚଞ୍ଚକତା ଓ ଅର୍ଥ ହଡ଼ପ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ସେମାନେ ଏ ନେଇ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି। ଗଁ। ଲୋକେ ଦର୍ଶାଇଛନ୍ତି ଯେ, ଗ୍ରାମର ଆରଧ୍ୟା ଦେବୀ ମା’ ତାରିଣୀଙ୍କ ମଣ୍ଡପ ଗୃହ ଓ କମ୍ୟୁନିଟି ସେଣ୍ଟର ପାଇଁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲେ ହେଁ କେତେଜଣ ନ୍ୟସ୍ତସ୍ବାର୍ଥ ସମ୍ପନ୍ନ ବ୍ୟକ୍ତିଙ୍କ ଇଙ୍ଗିତରେ ତାରିଣୀ ମଣ୍ଡପଠାରୁ ୧ କି.ମି. ଦୂରରେ ପ୍ରାୟ ଲକ୍ଷେ ଟଙ୍କାର ଅତ୍ୟନ୍ତ ନିମ୍ନମାନର ପକ୍କାଗୃହ ନିର୍ମାଣ କରାଯାଇଛି। ଏହି ନିର୍ମାଣ କାର୍ଯ୍ୟରେ ପ୍ରାୟ ୩ ଲକ୍ଷ ଟଙ୍କା ବାଟମାରଣା କରାଯାଇଛି। ଜନ୍ତୁଆଳି ପୋଖରୀ ସାହିଠାରେ ଥିବା ତାରିଣୀ ମନ୍ଦିରକୁ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁ ଆସୁଥିବା ବେଳେ ସେଠାରେ ଏକ କମ୍ୟୁନିଟି ସେଣ୍ଟର ନାହିଁ। ଅପରପକ୍ଷେ ମଣ୍ଡପ ଗୃହ ଓ କମ୍ୟୁନିଟି ସେଣ୍ଟର ଲାଗି ଆସିଥିବା ୪ ଲକ୍ଷ ସରକାରୀ ଅର୍ଥ ହଡ଼ପ ହୋଇଛି। ଏକ ଗ୍ରାମ୍ୟ ଜଙ୍ଗଲ ପ୍ଲଟ୍‌ରେ ନିମ୍ନମାନର ପକ୍କାଗୃହ ନିର୍ମାଣ କରାଯାଇ ଉକ୍ତ ଅର୍ଥକୁ ହରିଲୁଟ୍‌ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏଥିରେ ସମ୍ପୃକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ରିକଭରି କରାଯାଇ ତାରିଣୀ ମଣ୍ଡପ(ପୋଖରୀସାହି) ଓ କମ୍ୟୁନିଟି ସେଣ୍ଟର ନିର୍ମାଣରେ ବିନିଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏଥିସହ ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଜିଲାପାଳଙ୍କୁ ସେମାନେ ଅନୁରୋଧ କରିଛନ୍ତି। ଗ୍ରାମର ବିକାଶ ନାଥ, ସୁମନ୍ତ ବିଳାସ, ନରେନ୍ଦ୍ର ସେଠୀ, ଆଲୋକ ବେହେରା, ପ୍ରଦୀପ ନାୟକ ଓ ସ୍ବପ୍ନେଶ୍ୱର ଦାସ ପ୍ରମୁଖ ପ୍ରତିନିଧି ଦଳରେ ସାମିଲ ଥିଲେ।