Categories: ଗଞ୍ଜାମ

ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି ଆଉ ଚାଷ କରିବା ସମ୍ଭବ ହେଉନାହିଁ। ଚାଷ ପାଇଁ ସରକାର ବହୁ ପ୍ରୋତ୍ସାହନ ଦେବା ସହ ଯୋଜନା କରୁଥିଲେ ମଧ୍ୟ ତାହା କେତେଜଣ ଚାଷୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଏଭଳି ଜଣେ ଚାଷୀ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ଶିବ ଦେହୁରୀ। ସେ ଦୀର୍ଘ ବର୍ଷ ହେଲା ୨ ଏକର ଜମିରେ ଆମ୍ବ ଓ ପନିପରିବା ଚାଷ କରି ଆସୁଛନ୍ତି। ତେବେ ପାଣି ଅସୁବିଧା ହେତୁ ଆଗ ଭଳି ଆଉ ଚାଷ ହେଉନାହିଁ। ଉଦ୍ୟାନ କୃଷି ବିଭାଗକୁ ସେ ଏ ନେଇ ଜଣାଇଥିଲେ। କୂଅଟିଏ ଖୋଳାଇବା ପାଇଁ ଆବେଦନ କରିଥିଲେ ସୁଦ୍ଧା ଏ ଯାଏ ହୋଇ ପାରିନାହିଁ। ପାଣି ସୁବିଧା ହେଲେ ଚାଷ କରି ଅଧିକ ଲାଭବାନ ହୋଇପାରନ୍ତେ ବୋଲି ଶିବ କହିଛନ୍ତି।
ଶିବଙ୍କ ପରିବାର କହିଲେ ପାଖରେ ଅଛନ୍ତି କେବଳ ସ୍ତ୍ରୀ। ପିଲାମାନେ ଅଲଗା ହୋଇ ରହୁଛନ୍ତି। ସ୍ତ୍ରୀଙ୍କ ସହ ମିଶି ଶିବ ୨ ଏକର ଜମିରେ ଆମ୍ବ ସମେତ ବାଇଗଣ, ବିନ୍ସ, କଲରା, ଟମାଟୋ, କାକୁଡି ଆଦି ବିଭିନ୍ନ ପ୍ରକାର ପରିବା ଚାଷ କରୁଛନ୍ତି। ଏଥିରୁ ବର୍ଷକୁ ଭଲ ଆୟ ହୋଇଥାଏ। ନିକଟସ୍ଥ ନାଳରୁ ପାଣି ଭାର କରି ଆଣି ଚାଷରେ ଲଗାଯାଉଥିଲା। ଚାଷ ବଢ଼ୁ ଥିବାରୁ ପାଣି ଆଉ ଯୋଗାଇ ହେଉନାହିଁ। ବୟସ ବି ୭୦ ଟପିଲାଣି। ପାଣି ବୋହିଆଣି ଚାଷ କରିବା ସମ୍ଭବ ହେଉନାହିଁ। ସରକାରଙ୍କ ପକ୍ଷରୁ କୌଣସି ଯୋଜନାରେ କୂଅ ଟିଏ ଖୋଳାଇ ଦେଲେ ଉପକୃତ ହୁଅନ୍ତି ବୋଲି ଶିବ କହିଛନ୍ତି। ବର୍ଷକୁ ତାଙ୍କର ଆୟ ପାଖପାଖି ୮୦ ହଜାର ଟଙ୍କା ହୁଏ ବୋଲି ମଧ୍ୟ ପ୍ରକାଶ କରିଛନ୍ତି। ଏ ନେଇ ବ୍ଲକ ଉଦ୍ୟାନ କୃଷି ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ଆମର କୂଅ ଯୋଜନା ନାହିଁ। ବିଡିଓଙ୍କୁ ଲେଖି ଜଣାଇଲେ ଏମ୍‌ଜିଏନ୍‌ଆରଇଜିଏସ୍‌ରେ କୂଳ ଖୋଳି ହେବ ।