ଆମ୍ବପୁଆରେ ମଦ ଦୋକାନକୁ ବିରୋଧ

ବ୍ରହ୍ମପୁର ଅଫିସ୍‌,୨ା୧୧-ଆମ୍ବପୁଆରେ ଏକ ମଦ ଦୋକାନ ଖୋଲିବାକୁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇଛି। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ୩୯ ଏବଂ ୪୦ ନମ୍ବର ୱାର୍ଡ଼ ବାସିନ୍ଦା ତୀବ୍ର ବିରୋଧ କରୁଛନ୍ତି। ଏନେଇ ଏକ ଦାବିପତ୍ର ସେମାନେ ଅବକାରୀ କମିଶନର୍‌ ତଥା ସଚିବଙ୍କ ପାଖକୁ ପଠାଇଛନ୍ତି। ଅନ୍ୟପଟେ ନିୟମିତ ପ୍ରସ୍ତାବିତ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ପୂର୍ବରୁ ଏହି ଠିପି ଖୋଲା ମଦ ଦୋକାନ କଂଗ୍ରେସ ଭବନ ରାସ୍ତାରେ ଥିଲା। ହେଲେ ୨୦୧୮ ଏପ୍ରିଲ୍‌ରେ ବିଏମ୍‌ସି କମିଶନର୍‌ ଏହାକୁ ବନ୍ଦ ନିର୍ଦ୍ଦେଶ ଦେଇଥିଲେ। ମାଲିକ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୬ନମ୍ବର ୱାର୍ଡ଼ରେ ଦୋକାନ ଖୋଲିବା ପାଇଁ ସେ ଅନୁମତି ଲୋଡ଼ିଥିଲେ। ହେଲେ ସେଠାରେ ମଧ୍ୟ ତୀବ୍ର ବିରୋଧ ଯୋଗୁ ଜିଲାପାଳ ଅନୁମତି ବାତିଲ୍‌ କରି ଦେଇଥିଲେ। ଜିଲାପାଳ ମଧ୍ୟ ଅନ୍ୟତ୍ର ଜାଗା ଦେଖିବାକୁ ନିର୍ଦ୍ଦେଶ ଦେଇଥିଲେ। କୌଣସିଠାରେ ଜାଗା ନ ପାଇବାରୁ ଏବେ ଆମ୍ବପୁଆରେ ଦୋକାନ ଖୋଲିବା ପାଇଁ ଆବେଦନ କରିଥିଲେ। ଆପତ୍ତି ଅଭିଯୋଗ ପାଇଁ ଜୁନ୍‌ ୧୧ ଶେଷ ତାରିଖ ଥିଲା। ହେଲେ ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖାଯାଇଥିଲା। ଅବକାରୀ ଅଧିକାରୀମାନେ ଠିକ୍‌ ୧୧ତାରିଖରେ ହିଁ ନୋଟିସ୍‌କୁ ସାର୍ବଜନୀନ କରିବା ସହ ଅନ୍ୟ ଅଞ୍ଚଳର ବାସିନ୍ଦାଙ୍କଠାରୁ ସ୍ବୀକୃତି ଦସ୍ତଖତ ସଂଗ୍ରହ କରି ନେଇଥିଲେ। ପ୍ରକୃତ ଅଞ୍ଚଳବାସୀ ଜାଣିପାରି ନ ଥିଲେ। କିନ୍ତୁ ଆପତ୍ତି ଅଭିଯୋଗର ସମୟ ସରିଯାଇଥିଲା।
ଅଳ୍ପ କିଛି ମିଟର ଦୂରତା ଭିତରେ ବର୍ତ୍ତମାନ ଏହି ଅଞ୍ଚଳରେ ୩ ମଦ ଦୋକାନ ରହିଛି। ଫଳରେ ଅଞ୍ଚଳରେ ଅନେକ ସମୟରେ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ନିଶାସକ୍ତମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି, ଯାହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି। ଆଖପାଖ ଅଞ୍ଚଳରେ ଅନେକ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ରହିଛି। ଲୋକମାନେ ବସବାସ କରୁଛନ୍ତି । ଅନେକ ସରକାରୀ କାର୍ଯ୍ୟାଳୟ ମଧ୍ୟ ରହିଛି। ଆଗାମୀ ଦିନରେ ଅମୃତ ଯୋଜନାରେ ଅନେକ ଉନ୍ନୟନମୂଳକ କାର୍ଯ୍ୟ ହେବ। ଏଣୁ ପ୍ରସ୍ତାବିତ ମଦ ଦୋକାନ ପାଇଁ ଅନୁମତି ନ ଦେବାକୁ ଅଞ୍ଚଳବାସୀଙ୍କ ତରଫରୁ ଦାବି କରାଯାଇଛି। ଯଦି ଅନୁମତି ଦିଆଯାଏ, ତେବେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।