ଆମେରିକୀୟ ସୈନ୍ୟଙ୍କୁ ପୁଣି ଟାର୍ଗେଟ କଲା ଇରାନ: ଏୟାରବେସ୍‌ ଉପରେ ୮ ରକେଟ ମାଡ଼

ବାଗଦାଦ,୧୩ା୧: ପାରମ୍ପରିକ ଶତ୍ରୁ ଇରାନ ଓ ଆମେରିକା ମଧ୍ୟରେ ଚରମ ଉତ୍ତେଜନା ଲାଗି ରହିଥିବାବେଳେ ରବିବାର ରାତିରେ ବଡ଼ ଖବର ଆସିଛି। ଇରାକରେ ଆମେରିକା ସେନାକୁ ଟାର୍ଗେଟ କରିବାକୁ ଯାଇ ୮ ରକେଟ ମାଡ଼ କରିଛି ଇରାନ। ଏଥିରେ ଇରାକ ବାୟୁସେନାର ୪ ସୈନ୍ୟ ଆହତ ହୋଇଛନ୍ତି। ଇରାନ ପକ୍ଷରୁ ନିକ୍ଷେପ କରାଯାଇଥିବା ରକେଟ ଏୟାରବେସ୍‌ ରନ୍‌ଓ୍ବେରେ ମାଡ଼ ହୋଇଥିବାରୁ ବିଶେଷ କ୍ଷତି ହୋଇ ନ ଥିବା ଜଣାପଡିଛି। ଗତ ସପ୍ତାହରେ ଇରାନର ରକେଟ ମାଡ଼ ପରେ ଅନେକ ଆମେରିକୀୟ ସୈନ୍ୟ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତର ହୋଇଯାଇଥିବାରୁ ସଦ୍ୟ ଆକ୍ରମଣରୁ ସେମାନେ ବର୍ତ୍ତିଯାଇଥିବା କୁହାଯାଉଛି। ତେବେ ଆକ୍ରମଣ ପାଇଁ ଇରାନ ନିଜକୁ ଦାୟୀ କରିନାହିଁ।
ଇରାକ ରାଜଧାନୀ ବାଗଦାଦଠାରୁ ୮୦ କିଲୋମିଟର ଦୂର ସଲାହୁଦିନ ପ୍ରଦେଶରେ ଥିବା ଅଲ୍‌ ବଲାଡ ଏୟାରବେସ ଉପରେ ରବିବାର ୮ଟି କଟ୍ୟୁଶା ରକେଟ ମାଡ଼ ହୋଇଛି। ଏଥିରେ ଇରାକର ୪ ଜଣ ବାୟୁସେନା ସୈନ୍ୟ ଆହତ ହୋଇଛନ୍ତି। ଏଥିସହିତ ପାଖ ବିଲ୍ଡିଂଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିବା ଇରାକ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସ୍ପଷ୍ଟ କରିଛି। ଅଲ୍‌-ବଲାଡ ହେଉଛି ଇରାକର ମୁଖ୍ୟ ଏୟାରବେସ୍‌। ଏଠାରେ ଆମେରିକାରୁ ଇରାକ କିଣିଥିବା ଏଫ-୧୬ ଯୁଦ୍ଧବିମାନକୁ ରଖାଯାଇଛି। ପୂର୍ବରୁ ଏହି ବାୟୁସେନା ଘାଟିରେ ଆମେରିକୀୟ ଯବାନ ଓ ଠିକାଦାରମାନେ ରହୁଥିଲେ। ଗତ ମାସରେ ଇରାନ ଆକ୍ରମଣରେ ଆମେରିକାର ଜଣେ ଠିକାଦାରଙ୍କ ମୃତ୍ୟୁ ଘଟିଥିଲା। ଗତ ୩ ତାରିଖରେ ବାଗଦାଦ ବିମାନବନ୍ଦରରେ ଆମେରିକା ସେନା ଡ୍ରୋନ ଆକ୍ରମଣ କରିଥିଲା। ଏଥିରେ ଇରାନର ସେନା କମାଣ୍ଡର ଜେନେରାଲ କାସିମ ସୋଲେମାନୀଙ୍କ ସମେତ କେତେଜଣ ସେନା ଅଧିକାରୀ ନିହତ ହୋଇଥିଲେ।
ଏହା ପରେ ଆମେରିକା ଉପରେ ପ୍ରତିଶୋଧ ନେବା ପାଇଁ ଇରାନର ସୁପ୍ରିମ ଲିଡର ଆୟାତୋଲା ଖୋମିନି ଧମକ ଦେଇଥିଲେ। ୮ ତାରିଖରେ ଇରାକର ଦୁଇଟି ବାୟୁସେନା ଘାଟିକୁ ଟାର୍ଗେଟ କରି ଇରାନ ରକେଟ ମାଡ଼ କରିଥିଲା। ଏହାର କିଛି ଘଣ୍ଟା ପରେ ଇରାନ ଭୁଲ୍‌ବଶତଃ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନକୁ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଏଥିରେ ୧୭୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଆକ୍ରମଣରେ କୌଣସି ଜଣେ ହେଲେ ଆମେରିକୀୟ ସୈନ୍ୟ ମୃତାହତ ହୋଇ ନ ଥିବା ଦୃଢ଼ୋକ୍ତି ବାଢ଼ିବା ସହ ଇରାନ ଉପରେ ଅତିରିକ୍ତ କଟକଣା ଲଗାଇଥିଲେ। ଦୁଇଦେଶ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଥିବାରୁ ଅଧିକାଂଶ ଆମେରିକା ସୈନ୍ୟ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଏୟାରବେସ୍‌ ଛାଡ଼ି ଚାଲିଯାଇଥିଲେ। ସେଠାରେ ଆମେରିକାର ମାତ୍ର ଗୋଟିଏ ବିମାନ ଓ ୧୫ ସୈନ୍ୟ ଥିଲେ। ଆମେରିକା-ଇରାନ ମୁହାଁମୁହିଁ ହେବା ଫଳରେ ଇରାକ କ୍ଷତିଗ୍ରସ୍ତ ହେଉଛି। ଏଥିଯୋଗୁ ଇରାକ ପ୍ରଧାନମନ୍ତ୍ରୀ ଆଦିଲ ଅବଦୁଲ-ମହଦି ଆମେରିକା ପରରାଷ୍ଟ୍ର ସଚିବ ମାଇକ ପମ୍ପିଓଙ୍କୁ ସେନା ପ୍ରତ୍ୟାହାର ପାଇଁ କହିଛନ୍ତି। ତେବେ ଇରାକ ଭୂଖଣ୍ଡରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ଜରୁରୀ ଦର୍ଶାଇ ସୁରକ୍ଷାବଳ ପ୍ରତ୍ୟାହାର କରିବା ପାଇଁ ରୋକ୍‌ଠୋକ ମନା କରିଦେଇଛି ଓ୍ବାଶିଂଟନ।

Share