ଆଭ୍ୟନ୍ତରୀଣ କନ୍ଦଳର କ୍ଷତ

ଆକାର ପଟେଲ
ଗତ ୨୦ ବର୍ଷ ଭିତରେ ଆଭ୍ୟନ୍ତରୀଣ କନ୍ଦଳରେ ଭାରତରେ ଯେତିକି ସୈନିକ ମରିଛନ୍ତି, ତାହା ୧୯୬୨ ଚାଇନା ଯୁଦ୍ଧରେ ଶହୀଦ ହୋଇଥିବା ସୈନିକ ସଂଖ୍ୟାର ପ୍ରାୟ ତିନିଗୁଣ। କାର୍ଗିଲ ଯୁଦ୍ଧରେ ଭାରତ ଯେତିକି ସୈନିକଙ୍କୁ ହରାଇଛି, ତା’ର ଛଅଗୁଣ ମରିଛନ୍ତି କଶ୍ମୀର ଏବଂ ମାଓବାଦୀପ୍ରବଣ ଉତ୍ତରପୂର୍ବ ଓ କେନ୍ଦ୍ରୀୟ ଭାରତରେ ଯୁଦ୍ଧ କରି। ୧୯୬୨ ଏବଂ ୧୯୭୧ (ପାକିସ୍ତାନ ସହ) ଯୁଦ୍ଧରେ ମରିଥିବା ଲୋକଙ୍କ ଅପେକ୍ଷା ଏହିସବୁ ସ୍ଥାନରେ ଅଧିକ ଭାରତୀୟ ମରିଛନ୍ତି। ଏହିସବୁ ମୃତ୍ୟୁ ଯୁଦ୍ଧ ପାଇଁ ନୁହେଁ ବରଂ ରାଜନୈତିକ ବିଫଳତା ପାଇଁ ହୋଇଛି। ଆଭ୍ୟନ୍ତରୀଣ ବିବାଦକୁ ମୁକାବିଲା କରିବାରେ ସରକାରୀ ନୀତି ସଫଳ ହେଉ ବା ବିଫଳ ତାକୁ ପରିବର୍ତ୍ତନ କରିବା ଲାଗି ସରକାରଙ୍କ ଉପରେ କୌଣସି ଚାପ ପଡ଼ୁନାହିଁ କାରଣ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁକୁ ଦେଶବାସୀ ଗ୍ରହଣ କରିନେଉଛନ୍ତି। ବର୍ତ୍ତମାନ କଶ୍ମୀରରେ ଯେଉଁ ମାଷ୍ଟର ଷ୍ଟ୍ରୋକ୍‌ ଦିଆଗଲା, ସେଠାରେ କାର୍ଯ୍ୟରତ ସଶସ୍ତ୍ର ବାହିନୀ ଉପରେ ତା’ର କି ପ୍ରଭାବ ପଡ଼ିବ ତାକୁ ନେଇ କୌଣସି ବିତର୍କ ନାହିଁ। ବର୍ତ୍ତମାନ କେହି ଶ୍ରୀନଗର ପରିଦର୍ଶନରେ ଗଲେ ଦେଖିବ ଦେଶର ବିଭିନ୍ନ ଅଞ୍ଚଳର ସଶସ୍ତ୍ର ସୈନିକମାନେ ପାଟ୍ରୋଲିଂ କରୁଛନ୍ତି। ସେମାନେ ସ୍ଥାନୀୟ ଲୋକଙ୍କ ପରି ଦେଖାଯାଉ ନାହାନ୍ତି କିମ୍ବା ସ୍ଥାନୀୟ ଭାଷାରେ କଥାବାର୍ତ୍ତା କରୁନାହାନ୍ତି। ଅର୍ଦ୍ଧସାମରିକ ବାହିନୀ କଶ୍ମୀରର ସହରଗୁଡ଼ିକର ରାସ୍ତାରେ ପଦଚାରଣା କରୁଥିବା ବେଳେ ସୈନ୍ୟବାହିନୀ ପରିଧିସ୍ଥ ଅଞ୍ଚଳରେ ପାଟ୍ରୋଲିଂ କରୁଛନ୍ତି। ସେମାନଙ୍କ କାମ ହେଲା ହିଂସାତ୍ମକ ଜନମତକୁ ଚାପିଦେବା। କାରଣ ଅନ୍ୟ ଉପାୟରେ ମତ ପ୍ରକାଶ କରିବାକୁ ସେମାନଙ୍କ ପାଖରେ କିଛି ସୁବିଧା ନାହିଁ। ବର୍ଷ ବର୍ଷ ଧରି କଶ୍ମୀରରେ ଯୋଗଯୋଗ ଓ ଗଣମାଧ୍ୟମର କଣ୍ଠରୋଧ କରାଯାଇ ଆସୁଛି। ବର୍ତ୍ତମାନ ସମଗ୍ର କଶ୍ମୀରରେ ଯେପରି ଯୋଗାଯୋଗ ବିଚ୍ଛିନ୍ନ କରିଦିଆଯାଇଛି, ତାହା ପ୍ରଥମ ଥର ପାଇଁ ଘଟିନାହିଁ। ସେଠାରେ ଯୋଗାଯୋଗ ବିଚ୍ଛିନ୍ନ କରିଦିଆଗଲେ ଭାରତର ଅବଶିଷ୍ଟ ଅଞ୍ଚଳରେ କୌଣସି ସମସ୍ୟା ସୃଷ୍ଟି ହୁଏ ନାହିଁ। ତାହାର ଗୋଟିଏ ମୁଖ୍ୟ କାରଣ ହେଲା ସେମାନଙ୍କ ସହ ଆମର କିଛି ନେଣଦେଣ ନାହିଁ କିମ୍ବା ସେମାନେ ଭୋଗୁଥିବା ସମସ୍ୟା ଆମକୁ ସ୍ପର୍ଶ କରେ ନାହିଁ।
ଆମେରିକା କଂଗ୍ରେସରେ ସାଧାରଣତଃ ୧୦୦ ସଦସ୍ୟ ଥାନ୍ତି, ଯେଉଁମାନେ ସେନାରେ ଏକଦା କାର୍ଯ୍ୟ କରିଥିଲେ। ଆମେରିକା ହେଉଛି ବିଶ୍ୱର ସବୁଠୁ ଶକ୍ତିଶାଳୀ ସୈନ୍ୟବାହିନୀ ଏବଂ ସେମାନେ ନିୟମିତ ଭାବେ ଓ ସହଜରେ କୋରିଆ, ଭିଏତନାମ, ଇରାକ ଓ ଆଫଗାନିସ୍ତାନ ପ୍ରଭୃତି ସହ ଯୁଦ୍ଧ କରିବାକୁ ଆଗଭର ହୋଇଥାନ୍ତି। ତେବେ ସେମାନେ ଆତ୍ମସଂଶୋଧନଶୀଳ। ସେମାନେ ନିଜର ଭୁଲ୍‌କୁ ସୁଧାରି ଯୁଦ୍ଧରୁ ନିଜକୁ ଓହରେଇ ଆଣିପାରନ୍ତି କାରଣ ସେମାନଙ୍କର ଅନେକ ନେତା ହେଉଛନ୍ତି ପୂର୍ବତନ ସୈନିକ। ଭାବପ୍ରବଣ ନ ହୋଇ କାଳ୍ପନିକ ଲାଭ ଅପେକ୍ଷା ବାସ୍ତବ କ୍ଷତିକୁ ସେମାନେ ଆକଳନ କରିପାରନ୍ତି। ଭିଏତ୍‌ନାମ ଯୁଦ୍ଧ ସମୟରେ ଓ ତା’ର ଠିକ୍‌ ପରେ ପରେ ସେମାନଙ୍କର ଯୋଦ୍ଧା-ନେତା ଅନୁପାତ ବହୁତ ଉଚ୍ଚ ରହିଥିଲା ଏବଂ ପ୍ରାୟ ତିନିଚତୁର୍ଥାଂଶ ନେତା ଥିଲେ ପୂର୍ବତନ ସୈନିକ। କିନ୍ତୁ ଭାରତ କଥା ପୂରା ଅଲଗା। ମଧ୍ୟବିତ୍ତ ବର୍ଗଙ୍କର ସେନାରେ ଚାକିରି କରିବା ପ୍ରତି କୌଣସି ଆଗ୍ରହ ନ ଥାଏ। ସେମାନେ କର୍ପୋରେଟ୍‌ ଚାକିରି ବା ସରକାରୀ ଚାକିରି, ବିଶେଷତଃ ଆଇଏଏସ୍‌, ଆଇପିଏସ୍‌ ହେବାକୁ ବେଶି ପସନ୍ଦ କରିଥାନ୍ତି। ସେନା ଓ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ମୁଖ୍ୟତଃ ନିମ୍ନ ମଧ୍ୟବିତ୍ତ ବା କୃଷକ ପରିବାରରୁ ଆସିଥାନ୍ତି। ପାକିସ୍ତାନରେ ବି ଠିକ୍‌ ସେଇଆ। ଗଣମାଧ୍ୟମ, ଯାହାର ଅଧିକାଂଶ ସଦସ୍ୟ ମଧ୍ୟବିତ୍ତ ବର୍ଗରୁ ଆସିଥାନ୍ତି, ସେମାନେ ହିଂସାରୁ ପ୍ରାୟତଃ ଦୂରରେ ରହିଥାନ୍ତି। କଶ୍ମୀର ସମେତ ଦେଶର ବିଭିନ୍ନ ସ୍ଥାନରେ ସଶସ୍ତ୍ର ବାହିନୀ ଯାହା କରନ୍ତି, ତାକୁ ଗଣମାଧ୍ୟମରେ ଉଚ୍ଚମୂଲ୍ୟ ଦିଆଯାଏ। ଆମ ସାମ୍ବାଦିକମାନଙ୍କର ଚିନ୍ତା କରିବାର ସ୍ବାଧୀନତା ନ ଥାଏ। ନିରପେକ୍ଷ ଆଖି ନେଇ ଦେଖିବାର ସାମର୍ଥ୍ୟ ନ ଥାଏ। ସେଥିପାଇଁ ଆମେ ବାସ୍ତବତାକୁ ଉପେକ୍ଷା କରି ଗୋଟିଏ ପକ୍ଷ ନେଇଥାଉ। ପାଠକମାନେ ଜାଣି ବିସ୍ମିତ ହେବେ ଯେ, ପୂର୍ବ ପାକିସ୍ତାନରେ ଯେଉଁ ନୃଶଂସତା ଚାଲିଥିଲା ତାକୁ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଥିଲେ ଜଣେ ପାକିସ୍ତାନୀ ସାମ୍ବାଦିକ। ସେ ହେଉଛନ୍ତି କରାଚୀର ଆନ୍ଥୋନୀ ମାସ୍କାରେନ୍‌ହାସ, ଯାହାଙ୍କ ଲେଖା ବ୍ରିଟିଶ୍‌ ଖବରକାଗଜ ସନ୍‌ଡେ ଟାଇମ୍ସରେ ଜୁନ୍‌ ୧୯୭୧ରେ ପ୍ରକାଶ ପାଇଥିଲା। କିନ୍ତୁ କଶ୍ମୀର, ନକ୍ସଲ ଅଞ୍ଚଳ ଓ ଉତ୍ତରପୂର୍ବରେ ସେନାର କାର୍ଯ୍ୟକଳାପ ସମ୍ପର୍କରେ ପ୍ରକାଶ କରିବା ଭାରତୀୟ ସାମ୍ବାଦିକମାନଙ୍କ ପକ୍ଷେ କଷ୍ଟକର। ବାସ୍ତବତା ହେଉଛି ନିଜ ଘରଠାରୁ ଦୂରରେ ଶତ୍ରୁଭାବାପନ୍ନ ଲୋକଙ୍କ ଭିତରେ ରହୁଥିବା ସୈନିକମାନେ ସେହିପରି ବ୍ୟବହାର କରନ୍ତି। ଭିଏତ୍‌ନାମ, ଶ୍ରୀଲଙ୍କା ବା ଇରାକ ସବୁଠି ସେଇଆ ଦେଖାଯାଇଛି। ତାହା ହେଉଛି ମଣିଷର ପ୍ରକୃତି ଏବଂ ଏଥିପାଇଁ ଯଦି ଆମେ କାହାର ଦୋଷ ଦେବା ତେବେ ସେମାନେ ହେଉଛନ୍ତି ବିଭିନ୍ନ ଦେଶର ନେତୃତ୍ୱ, ଯେଉଁମାନେ ସୈନିକମାନଙ୍କୁ ସେହିସବୁ ସ୍ଥାନରେ ନିୟୋଜିତ କରିଛନ୍ତି। ଏହାଦ୍ୱାରା ହଜାର ହଜାର ସାଧାରଣ ଲୋକ ଓ ସୈନିକଙ୍କର ଜୀବନ ଯାଉଛି ଓ ଯାଉଥିବ। ଚାଇନା ଓ ପାକିସ୍ତାନ ସହ ଆମର ଯେଉଁ ବଡ଼ ଯୁଦ୍ଧ ହୋଇଥିଲା ତାହା ଭାରତର ଇତିହାସ ପୁସ୍ତକରେ ଲିପିବଦ୍ଧ ହୋଇ ରହିଛି ଏବଂ ସେଥିରେ ଶହୀଦ ହୋଇଥିବା ଯବାନମାନଙ୍କୁ ବି ଆମେ ସ୍ମରଣ କରୁଛୁ। କିନ୍ତୁ ଦେଶର ଆଭ୍ୟନ୍ତରୀଣ କନ୍ଦଳରେ ପ୍ରାଣ ହରାଇଥିବା ବହୁ ଅଧିକ ସଂଖ୍ୟକ ଲୋକଙ୍କୁ କିଏ ମନେରଖୁଛି? ଏ କ୍ଷତରୁ ନିୟତ ରକ୍ତ ଝରିଚାଲିଛି, ସେଥିରେ ବ୍ୟାଣ୍ଡେଜ୍‌ କନା ଖଣ୍ଡେ ବାନ୍ଧିବାର ପ୍ରଚେଷ୍ଟା କେହି କେବେ କରିନାହାନ୍ତି।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri