ଆବାସ ଯୋଜନାରେ ଅନିୟମିତତା: ଜିଆର୍‌ଏସ୍‌ ନିଲମ୍ବିତ

ତିର୍ତ୍ତୋଲ, ୧୪।୩ (ଡି.ଏନ୍‌.ଏ.):ଆବାସ ଯୋଜନାରେ ଅନିୟମିତତା ନେଇ ତିର୍ତ୍ତୋଲ ବ୍ଲକ ବିଷନପୁର ପଞ୍ଚାୟତ ଜିଆରଏସ୍‌ ତପୁ ମହାପାତ୍ରଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଉକ୍ତ ପଞ୍ଚାୟତରେ କେତେଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇ ଜିଓ ଟ୍ୟାଗିଂ କରାଯାଇଥିବା ପ୍ରମାଣ ମିଳିବା ପରେ ଜିଲା ପ୍ରଶାସନ ପକ୍ଷରୁ ଜିଆର୍‌ଏସ୍‌ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି।
ସୂଚନାଥାଉ କି, ତିର୍ତ୍ତୋଲ ବ୍ଲକର ବିଷନପୁର, କନକପୁର ଏବଂ ଇବ୍ରିସିଂ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ପଞ୍ଚାୟତରେ ତଦନ୍ତ କରାଯିବା ପରେ ପ୍ରମାଣ ଭିତ୍ତିରେ ଜିଆରଏସ୍‌ଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟମାନଙ୍କ ବିରୋଧରେ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଡିଓ ରଞ୍ଜନ କୁମାର ପରିଡ଼ା କହିଛନ୍ତି।