Categories: ରାୟଗଡା

ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି। ଏପଟେ ହିତାଧିକାରୀ ଗୃହ ସରିବା ବାଟକୁ ଚାହିଁ ଚାହିଁ ଆରପାରିକି ଚାଲିଯାଉଛନ୍ତି। ଗିର୍ଲିଗୁମ୍ମା ପଞ୍ଚାୟତ ଡଣ୍ଡାବାଡ଼ ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।
୨୦୧୭/୧୮ ଆର୍ଥିକ ବର୍ଷରେ ଗ୍ରାମର ପାନ ଜାନିଙ୍କୁ ଆବାସ ଗୃହ ମିଳିଥିଲା। ସ୍ବାମୀ ବୁଟାଙ୍କ ମୃତ୍ୟୁ ପରେ ଗୃହ ନିର୍ମାଣ ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା। ଜଣେ ଠିକାଦାର ‘ଖୁବ୍‌ଶୀଘ୍ର ତୁମ ଘର ଶେଷ କରାଇଦେବି’ କହି କାମ ହାତେଇ ନେଇଥିଲେ। କିନ୍ତୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଘରର ଛାତ ପଡ଼ିନାହିଁ। ନୂଆଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶା ରଖିଥିବା ପାନ ମଧ୍ୟ ଇତିମଧ୍ୟରେ ଆଉ ନାହାନ୍ତି। କିନ୍ତୁ ତାଙ୍କ ପୁତୁରା ଓ ଭାଇ ଅଧପନ୍ତରିଆ ଗୃହର ଛାତ ଶୀଘ୍ର ଶେଷ କର ବୋଲି ଠିକାଦାରଙ୍କୁ ଜଣାଇଲେ ସେ କହୁଛନ୍ତି, ମୋ ବିରୋଧରେ ତୁମେ ଯାହାକୁ ଅଭିଯୋଗ ଜଣାଇଲେ ମଧ୍ୟ କିଛି ହେବନାହିଁ। ତେଣୁ ତୁରନ୍ତ ଘରକାମ ନ ସରିଲେ ବ୍ଲକ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ସହ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ପାନଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଠିକାଦାର ଛବି ଖୋସଲା କହିଥିଲେ, ହଁ ମୁଁ କରିଦେବି ଏବଂ ସାହେବ ମାଝିର ଇଟା ଟଙ୍କା ଓ ଶ୍ରମିକଙ୍କ ୬୦୦୦ ଟଙ୍କା ଖୁବଶୀଘ୍ର ପ୍ରଦାନ କରିଦେବି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।