ଆବାସିକ ବିଦ୍ୟାଳୟ ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା

ଚନ୍ଦ୍ରଗିରି,୩୦ା୮(ଡି.ଏନ.ଏ.)- ଗଜପତି ଜିଲା ମୋହନା ବ୍ଲକ ଲୁଡ୍ରୁ ଆଶ୍ରମ ବିଦ୍ୟାଳୟରେ ଶୁକ୍ରବାର ଏକ ହତ୍ୟାକାଣ୍ଡ ଘଟିଛି। ବିଦ୍ୟାଳୟରେ ରହୁଥିବା ରୋଷେୟାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୋହନା ପୋଲିସ ଓ ଆର.ଉଦୟଗିରି ଏସ୍‌ଡିପିଓ ଅଶୋକ କୁମାର ମହାନ୍ତି ବିଦ୍ୟାଳୟରେ ପହଞ୍ଚତ୍ ତଦନ୍ତ ଚାଳାଇଛନ୍ତି। ମୃତ ରୋଷେୟାଙ୍କ ସ୍ତ୍ରୀଙ୍କ ଅଭିଯୋଗ ପ୍ରକାରେ ନଂ.୧୪୮/୧୮ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି। ପ୍ରାଥମିକ ତଦନ୍ତରୁ ରୋଷେୟାଙ୍କୁ ତାଙ୍କ ନାବାଳକ ପୁଅ ହତ୍ୟା କରିଥିବା ଓ ସେ ମାନସିକ ବିକାରଗ୍ରସ୍ତ ଥିବା ଏସ୍‌ଡିପିଓ କହିଛନ୍ତି। ଘଟଣା ପରେ ସେ ଫେରାର ହୋଇଯାଇଛନ୍ତି।
ପ୍ରକାଶ ଯେ, ଲୁଡ୍ରୁ ଆଶ୍ରମ ବିଦ୍ୟାଳୟରେ ମୃତକ ଓ ତାଙ୍କ ସ୍ତ୍ରୀ ରୋଷେୟା ଭାବେ କାମ କରନ୍ତି। ବିଦ୍ୟାଳୟ ଷ୍ଟାଫ କ୍ୱାର୍ଟରରେ ଏହି ରୋଷେୟା ଦମ୍ପତି ତାଙ୍କ ନାବାଳିକା ପୁଅ ଓ ଝିଅଙ୍କ ସହ ରହୁଥିଲେ। ଗୁରୁବାର ମୃତ ରୋଷେୟା ପୁଅଙ୍କ ସହ ବାଳକ ଆବାସିକ ବିଦ୍ୟାଳୟ କ୍ବାର୍ଟରରେ ଶୋଇଥିବାବେଳେ ସ୍ତ୍ରୀ ଝିଅଙ୍କ ସହ ବାଳିକା ଆଶ୍ରମ ବିଦ୍ୟାଳୟରେ ଶୋଇଥିଲେ। ଶୁକ୍ରବାର ସକାଳେ ଝିଅ ବାପାଙ୍କୁ ଡାକିବାକୁ ଯିବାବେଳେ ଭାଇ କୋଠରୀରୁ ଛୁରୀ ଧରି ବାହାରରୁଥିବା ଦେଖିଥିଲେ। ପରେ ସେ କ୍ୱାର୍ଟର ଭିତରକୁ ଯାଇ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାପାଙ୍କ ମୃତଦେହ ପଡିଥିବା ଦେଖିଥିଲେ। ଘଟଣା ଜାଣିବା ପରେ ସ୍କୁଲ କର୍ତ୍ତୃପକ୍ଷ ମୋହନା ପୋଲିସକୁ ଖବର ଦେଇଥିଲେ।
ସୂଚନା ଯୋଗ୍ୟ, ମୃତ ରୋଷେୟାଙ୍କ ପୁଅ ମୋହନାସ୍ଥିତ ଏକ ବିଦ୍ୟାଳୟରେ ଯୁକ୍ତ ୨ ପଢୁଥିବାବେଳେ ପ୍ରାୟ ୩ମାସ ହେବ କୌଣସି କାରଣରୁ ମାନସିକ ବିକାରଗ୍ରସ୍ତ ହୋଇ ବାପା ମା’ଙ୍କ ପାଖରେ ଆସି ରହୁଥିଲେ। ସେ ହିଁ ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ମଳିକ ମଧ୍ୟ ଏହାକୁ ସ୍ବୀକାର କରିଛନ୍ତି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ପଥର ଜବତ କରିବା ସହ ମୃତଦେହ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇଛି। ଦୁଇଟି ଟିମ ଗଠନ କରାଯାଇ ନାବାଳକଙ୍କୁ ଖୋଜା ଚାଲିଥିବା ଏସଡିପିଓ ମହାନ୍ତି ସୂଚନା ଦେଇଛନ୍ତି।