ଆବଦ୍ଧ ଅଞ୍ଚଳର ଦୈନିକ ୫୦ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେଉଛି

ଭୁବନେଶ୍ୱର, ୯ା୪(ବ୍ୟୁରୋ): ଭୁବନେଶ୍ୱରରେ ୩୪ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ସୁନ୍ଦରପଦା ଓ ଯଦୁପୁର ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ଘୋଷଣା ସହ ସିଲ୍‌ କରାଯାଇଛି। ଏଥିସହ କେନ୍ଦ୍ରିୟ ଗୋଇନ୍ଦା ବ୍ୟୁରୋ ଓ କର୍ମଚାରୀ କଲୋନୀକୁ ମଧ୍ୟ ସିଲ୍‌ କରିଦିଆଯାଇଛି। ଏସବୁ ସିଲ୍‌ ଅଞ୍ଚଳରେ ବିଏମ୍‌ସି ଦ୍ୱାରା ନିୟୋଜିତ ମେଡିକାଲ ଟିମ୍‌ ଦୈନିକ ସର୍ବନିମ୍ନ ୫୦% ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି। ଯାହାର ସ୍ବାସ୍ଥ୍ୟାବସ୍ଥା ଖରାପ ରହୁଛି ସଙ୍ଗେ ସଙ୍ଗେ ଚିକିତ୍ସା ଯୋଗାଇ ଦିଆଯାଉଛି ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି। ଏସବୁ ଅଞ୍ଚଳରେ ମୋଟ ୯୦୫୫ ପରିବାର ବସବାସ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ସୂର୍ଯ୍ୟନଗର, ବମିଖାଲ, ଆଇବି କଲୋନୀ, ସୁନ୍ଦରପଦା ଓ ଯଦୁପୁରର ପାଖାପାଖି ସମସ୍ତ ପରିବାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସରିଛି। ପୁର୍ନବାର ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏଥିସହ ସତ୍ୟନଗରରେ ବୁଧବାରଠାରୁ ଘରକୁ ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୫ଶହ ନମୁନା ସଂଗ୍ରହ କରାଯାଇଥିବା କମିଶନର ଚୌଧାରୀ କହିଛନ୍ତି। ବୁଧବାର ୪ହଜାରରୁ ଊର୍ଦ୍ଧ୍ୱ ନମୁନା ସଂଗ୍ରହ କରାଯାଇଥିବାବେଳେ ଏଥିମଧ୍ୟରେ ଆଜାଦନଗରରୁ ୪୩୦, ବମିଖାଲରୁ ୨୭୭୭ ଓ ଆଇବି କଲୋନୀରୁ ୧୦୭ ନମୁନା ରହିଛି।