ଆବଦ୍ଧାଞ୍ଚଳରେ ଗଠନ ହେଲା ୩ଟି ଟିମ୍‌

ବନ୍ତ,୨୯।୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ବ୍ଲକ ଚାରିଗାଁ ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରାଯିବା ସହ ସଂକ୍ରମଣ ନବ୍ୟାପିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଡିଓ ରେବେକା ବିଲୁଙ୍ଗ, ଜିପିଇଓ ନିଶିକାନ୍ତ ଖୁଣ୍ଟିଆ ଚାରିଗାଁସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ସରପଞ୍ଚ ବନମାଳୀ ବେହେରାଙ୍କ ଉପସ୍ଥିତିରେ ଆଶା, ଅଙ୍ଗନୱାଡି କର୍ମୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସହିତ ଘର ଘର ବୁଲି ସ୍ବାସ୍ଥ୍ୟ, ଟ୍ରାଭେଲ୍‌ ହିଷ୍ଟ୍ରି, ୧୦୪ ପଞ୍ଜୀକରଣ ହୋଇଛି କି ନାହିଁ ସର୍ଭେଲାନ୍ସ ନିମନ୍ତେ ଆଲୋଚନା କରିଥିଲେ। ଏଥିସହ ଆବଦ୍ଧାଞ୍ଚଳକୁ ୩ଟି ସବ୍‌ଜୋନ୍‌ରେ ବିଭକ୍ତ କରି ୩ ଦିନ ମଧ୍ୟରେ ସର୍ଭେଲାନ୍ସ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩ଟି ସବ୍‌ଜୋନ୍‌ ଦାୟିତ୍ୱରେ ୩ ଜଣ ଆଶାକର୍ମୀ ଓ ୩ ଜଣ ଶିକ୍ଷକ ରହିଥିବା ବେଳେ ଏହି କାର୍ଯ୍ୟକୁ ତ୍ୱାରାନ୍ବିତ କରିବା ପାଇଁ ୫ ଜଣ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ସୁପରଭିଜନ୍‌ ଅଫିସର ଭାବେ ଦାୟିତ୍ୱ ଦିଆଯାଇଛି। ସମ୍ପୃକ୍ତ ଆବଦ୍ଧାଞ୍ଚଳକୁ ତହସିଲଦାର ପରିଦର୍ଶନ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଗରପଡ଼ା ଅଗ୍ନିଶମ ବାହିନୀ ପକ୍ଷରୁ ଉକ୍ତ ପଞ୍ଚାୟତକୁ ବିଶୋଧନ କରାଯାଇଛି।