Categories: ଗଞ୍ଜାମ

ଆନ୍ଧ୍ର ଟ୍ରକ ଚାଳକଙ୍କୁ ମାଡ ମାରି ଲୁଟ, ୩ ଗିରଫ

ହିଞ୍ଜିଳିକାଟୁ,୫ା୩(ଡି.ଏନ୍‌.ଏ.) – ହିଞ୍ଜିଳି ଥାନା ବୁରୁପୋଡା ଛକରେ ରବିବାର ରାତି ପ୍ରାୟ ୯ରେ ଏକ ଆନ୍ଧ୍ର ଟ୍ରକ ଚାଳକଙ୍କୁ ଲୁଟେରା ଆକ୍ରମଣ କରି ମୋବାଇଲ ଓ ୫ହଜାର ଟଙ୍କା ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା।
ପ୍ରକାଶ ଯେ, ରବିବାର ରାତିରେ ବୁରୁପୋଡା ଛକକୁ ଟ୍ରକ(ଏପି୦୩ ଟିଇ-୬୮୮୮)ରେ ଆନ୍ଧ୍ରପ୍ରଦେଶ ଚିତୁର ଜିଲା ଚେରୁପଲୀ ଅଞ୍ଚଳର ଇ. ଜନାର୍ଦ୍ଦନ ରେଡ୍ଡୀ ଟମାଟ ନେବାକୁ ଆସିଥିଲେ। ଏକ ବାଇକରେ ୩ ଯୁବକ ଆସି ଜନାର୍ଦ୍ଦନଙ୍କୁ ମାଡ ମାରି ମୋବାଇଲ ଓ ୫ହଜାର ଟଙ୍କା ଛଡାଇ ନେଇଥିଲେ। ଲୁଟେରା ଓ ଚାଳକଙ୍କ ମଧ୍ୟରେ ଧସ୍ତାଧସ୍ତିବେଳେ ସ୍ଥାନୀୟ ଲୋକେ ଆସିଯିବାରୁ ବାଇକ ଛାଡି ଲୁଟେରା ପଳାଇଥିଲେ। ଜନାର୍ଦ୍ଦନ ସୋମବାର ଥାନାରେ ଏତଲା ଦେବାପରେ ନଂ-୭୦/୨୦ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିଲା। ବୁଧବାର ଉକ୍ତ ମାମଲାରେ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଆଙ୍କୋରଡା ଗ୍ରାମର ସମୀର ସାହୁ, ଅନୂପ ଗୌଡ ଓ ଅଜିତ ମୁନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଲୁଟ ମୋବାଇଲ ଫୋନ ଜବତ ହୋଇଥିବା ଥାନା ଅଧିକାରୀ ଅଭିମନ୍ୟୁ ଦାଶ କହିଛନ୍ତି।