ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ

ପୁରୀ ଅଫିସ, ୩୦ା୧: ଗତ କିଛି ମାସ ଧରି ପୁରୀ ସହରରେ ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ଥିଲା। ନିଜକୁ ପୋଲିସ ପରିଚୟ ଦେଇ ଏହି ଗ୍ୟାଙ୍ଗର ଲୁଟେରାମାନେ ବିଭିନ୍ନ ସ୍ଥାନରେ କୌଶଳ କ୍ରମେ ମହିଳାଙ୍କଠାରୁ ସୁନାଗହଣା ଲୁଟି ଫେରାର ହୋଇଯାଉଥିଲେ। ବୁଧବାର ପୁରୀ ଟାଉନ ଥାନା ପୋଲିସ ଏହି ଗ୍ୟାଙ୍ଗର ଜଣେ ସଦସ୍ୟଙ୍କୁ ଗିରଫ କରିଛି। ସେ ହେଲେ ଭୋପାଳର ଅମଜାଦ୍‌ ଅଲ୍ଲି (୩୯)। ପୋଲିସ ତାଙ୍କ ନିକଟରୁ ୨୯.୩୬୦ ଗ୍ରାମର ଏକ ସୁନାଚେନ ସହ ଲକେଟ, ୪.୩୦୦ ଗ୍ରାମର ୨ଟି ସୁନାଚୁଡ଼ିି, ନକଲି ସୁନା ଓ ରୁପା ଅଳଙ୍କାର, ଡ୍ରାଇଭିଂ ଲାଇସେନ୍ସ, ଆଧାର କାର୍ଡ, ଡେବିଟ୍‌ କାର୍ଡ, ଏଟିଏମ୍‌ କାର୍ଡ ଜବତ କରିଛି। ଜବତ ଗହଣାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ପୋଲିସ କହିଛି।
ସୂଚନା ଅନୁଯାୟୀ, ଗତ ୨୧ ତାରିଖରେ ବିଜୟକୃଷ୍ଣ ମହାପାତ୍ର ନାମକ ବ୍ୟକ୍ତି ବାଇକରେ ଟାଉନ ହଲ ଛକରୁ କୋର୍ଟ ଆଡକୁ ଯାଉଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପଛପଟୁ ଡାକି ଅଟକାଇଥିଲେ। ନିଜକୁ ପୋଲିସ ପରିଚୟ ଦେଇ ସୁନାଚେନ୍‌ ପିନ୍ଧି କାହିଁକି ବୁଲୁଛନ୍ତି, ଲୁଟେରା ମାତିଛନ୍ତି ତେଣୁ ଏହାକୁ ବାହାର କରି ଦିଅନ୍ତୁ ବୋଲି କହିଥିଲେ। ବିଜୟ ୮୦ ଗ୍ରାମର ସୁନାଚେନ୍‌, ୧୨ଗ୍ରାମର ଦୁଇଟି ଗୋଲ୍ଡ ରିଙ୍ଗ (ଯାହାର ହାରାହାରି ମୂଲ୍ୟ ପ୍ରାୟ ୪ଲକ୍ଷ) ବାହାର କରିବାବେଳେ ସମ୍ପୃକ୍ତ ବ୍ୟକ୍ତି କୌଶଳ କ୍ରମେ ତାଙ୍କଠାରୁ ସୁନାଚେନ୍‌ ଲୁଟି ଫେରାର ହୋଇଯାଇଥିଲେ। ବିଜୟଙ୍କ ଅଭିଯୋଗ କ୍ରମେ ପୋଲିସ ଆଇପିସି ଦଫା ୪୧୯, ୪୨୦, ୩୭୯, ୩୪ରେ କେସ୍‌ ନଂ. ୨୩୩/୧୯ ରୁଜୁ କରିଥିଲା। ପୂର୍ବରୁ ପୋଲିସ ପରିଚୟ ଦେଇ ବିଭିନ୍ନ ସ୍ଥାନରୁ ଲୁଟ୍‌ ଘଟଣା ନେଇ ପୋଲିସ ଚିନ୍ତିତ ଥିଲା। ତେଣୁ ଏସ୍‌ପି ଉମାଶଙ୍କର ଦାଶଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ଏହି ଟିମ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଥିଲା। କିଛିଦିନ ତଳେ କ୍ୟାଥଲିକ ଚର୍ଚ୍ଚ ନିକଟରେ କେତେଜଣ ଲୁଟେରା ଜ୍ୟୋତି ମହାପାତ୍ରଙ୍କଠାରୁ ଲୁଟ୍‌ ଉଦ୍ୟମ କରିବା ବେଳେ ସେ କୌଶଳ କ୍ରମେ ଜଣଙ୍କୁ କାବୁ କରି ଥାନାରେ ଜିମା ଦେଇଥିଲେ। ପୋଲିସ ତାଙ୍କୁ ଦୁଇ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଅଟକ ରଖି ଜେରା କରିଥିଲା। ସେ ଟାଉନ ଥାନା ଅଞ୍ଚଳରେ ଗୋଟିଏ ଓ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ୩ଟି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଥିବା ସ୍ବୀକାର କରିଥିଲେ। ଫଳରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ତାଙ୍କ ନାମ ଅମଜାଦ ଅଲ୍ଲୀ ଓ ଘର ମଧ୍ୟପ୍ରଦେଶର ଭୋପାଳରେ ବୋଲି ପୋଲିସ ଜାଣିବାକୁ ପାଇଥିଲା। ବୁଧବାର ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବା ପାଇଁ ପୋଲିସ ଭୋପାଳ ଯାଇ ଛାନଭିନ୍‌ କରିଥିଲେ ମଧ୍ୟ ନିରାଶରେ ଫେରିଥିଲା।