ଆନ୍ତଃ ରାଜ୍ୟ ଯାତାୟାତ ଲାଗି ଅନୁମତି

ଭୁବନେଶ୍ୱର,୪ା୫(ବ୍ୟୁରୋ): ଲକ୍‌ଡାଉନ ଯୋଗୁ ରାଜ୍ୟ ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକ ବସ୍‌ ଏବଂ ଟ୍ରେନ୍‌ ଯୋଗେ ଫେରିବା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଆନ୍ତଃରାଜ୍ୟ ଗମନାଗମନ ଲାଗି ଗ୍ରୀନ୍‌ ସିଗନାଲ ଦେଇଛନ୍ତି। ନିର୍ଦ୍ଦିଷ୍ଟ କିଛି କାରଣ ଥିଲେ ଆନ୍ତଃରାଜ୍ୟ ଗମନାଗମନ କରିହେବ ବୋଲି ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚୋପ୍ରା ଚିଠି ଲେଖି ସବୁ ଜିଲାପାଳ ଏବଂ କଟକ-ଭୁବନେଶ୍ୱର ପୋଲିସ କମିଶନରଙ୍କୁ ଜଣାଇଛନ୍ତି।
ଏଥିଲାଗି ଏକ ଫର୍ମର ନକଲ ମଧ୍ୟ ଜାରି କରାଯାଇଛି। ଆନ୍ତଃରାଜ୍ୟ ଯିବା ଆସିବା ସକାଶେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କେହି ଓଡିଶାରୁ ବାହାର କୌଣସି ରାଜ୍ୟକୁ ଯିବାକୁ ଚାହାନ୍ତି ତେବେ ତାହା ସ୍ବାସ୍ଥ୍ୟଗତ ସମସ୍ୟା କିମ୍ବା କୌଣସି ଜରୁରୀ କାର୍ଯ୍ୟ ହୋଇଥିବା ଆବଶ୍ୟକ, ଏଥିଲାଗି ଉପଜିଲାପାଳ, ତହସିଲଦାର କିମ୍ବା ଡିସିପି ଯାଞ୍ଚ କରିବା ପରେ ସମ୍ଭବ ହୋଇପାରିବ। ଏହାପରେ ଯଦି ଆବେଦନକାରୀଙ୍କୁ ବାହାର ରାଜ୍ୟକୁ ଯିବା ସକାଶେ ଅନୁମତି ମିଳେ ତେବେ ତାଙ୍କୁ ଏକ ଆନ୍ତଃରାଜ୍ୟ ପାସ୍‌ ପ୍ରଦାନ କରାଯିବ। ଆବେଦନକାରୀ ଯେଉଁ ରାଜ୍ୟକୁ ଯିବାକୁ ଚାହୁଁଥିବେ ସେଠାକାର ଜିଲାପାଳଙ୍କୁ ପାସ୍‌ର ଏକ ନକଲ ମେଲ୍‌ କରିଦିଆଯିବ। ଯାନର ପାସ୍‌ ସହିତ ତାହା ଲଗାଇ ମେଲ୍‌ ମାଧ୍ୟମରେ ଦିଆଯିବ।
ସେହିପରି ଯଦି ବାହାରୁ କେହି ଓଡିଶାକୁ ଆସିବାକୁ ଚାହାନ୍ତି ତେବେ ତାଙ୍କୁ ରାଜ୍ୟ ସରକାରଙ୍କ ଏକ ରେଜିଷ୍ଟ୍ରି ପୋର୍ଟାଲ http://covid19.odisha.gov.inରେ ଆବେଦନ କରିବାକୁ ପଡିବ। ଏହାପରେ ଯେଉଁ ଜିଲାରୁ ଆସିବାକୁ ଚାହୁଁଥିବେ ସେଠାକାର ଜିଲାପାଳ, ପୋଲିସ କମିଶନର କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କଠାରୁ ପାସ୍‌ ଗ୍ରହଣ କରିବେ। ସେହି ପାସ୍‌ର ଏକ ନକଲ ଆସିବାକୁ ଚାହୁଁଥିବା ଜିଲାର ଜିଲାପାଳଙ୍କ କାର୍ଯ୍ୟାଳୟକୁ ମେଲ୍‌ ଜରିଆରେ ପଠାଯିବ। ରାଜ୍ୟ ସରକାରଙ୍କ ପୋର୍ଟାଲର ରେଜିଷ୍ଟର ନମ୍ବର ରାଜ୍ୟର ବର୍ଡରଠାରେ ଯାଞ୍ଚ କରାଯିବ। ରାଜ୍ୟର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପରେ ୧୪ଦିନ କ୍ୱାରାଣ୍ଟାଇନରେ ରହିବା ଜରୁରୀ। ସରକାରଙ୍କ ସମସ୍ତ ପ୍ରକାର ନିୟମ ମାନି ଯାତ୍ରା କରିବାକୁ ସରକାର ଦର୍ଶାଇଛନ୍ତି।