Categories: ଜାତୀୟ

ଆଧାର ସଂଶୋଧନ ବିଲ୍‌କୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୧୩ା୬: ଆସନ୍ତା ୧୭ରୁ ପାର୍ଲାମେଣ୍ଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବାବେଳେ ସେଥିରେ ଆଧାର ଏବଂ ଅନ୍ୟାନ୍ୟ ଆଇନ (ସଂଶୋଧନ) ବିଲ୍‌, ୨୦୧୯ ଆଗତ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକ ବସି ଆଧାର ସଂଶୋଧନ ବିଲ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ସଂଶୋଧନ ବଳରେ ଜଣେ ସ୍ବେଚ୍ଛାକୃତ ଭାବେ ଚାହିଁଲେ ଆଧାରକୁ ବ୍ୟାଙ୍କ, ଟେଲିକମ୍‌ କମ୍ପାନୀ ଭଳି ଘରୋଇ ସଂସ୍ଥାରେ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ବିଲ୍‌ ଆଇନରେ ପରିଣତ ହେଲେ ସରକାର ଆଣିଥିବା ଅଧ୍ୟାଦେଶ ସ୍ଥାନରେ ଏହା କାର୍ଯ୍ୟକାରୀ ହେବ। ଏଥିସହିତ ସଂଶୋଧିତ ବିଲ୍‌ ଅନୁଯାୟୀ ଜଣେ ପିଲା ଚାହିଁଲେ ୧୮ ବର୍ଷ ବୟସରେ ଆଧାର ବ୍ୟବସ୍ଥାରୁ ଓହରିଯାଇପାରିବ। ଗତ ମାର୍ଚ୍ଚ ୨ରେ ସରକାର ଆଣିଥିବା ଅଧ୍ୟାଦେଶର ସମସ୍ତ ପ୍ରସ୍ତାବ ନୂଆ ବିଲ୍‌ରେ ରହିଛି। ବର୍ତ୍ତମାନ ଆଧାର ଆଇନରେ ରହିଥିବା ଧାରା ୫୭, ଯାହା ଘରୋଇ ସଂସ୍ଥାରେ ଆଧାର ବ୍ୟବହାରକୁ ବାରଣ କରୁଛି, ତାହାକୁ ଉଚ୍ଛେଦ କରାଯିବା ପ୍ରସ୍ତାବ ରହିଛି।

Share