ଆଦିବାସୀ ମନ୍ତ୍ରୀଙ୍କ ଲାଞ୍ଜିଗଡ଼ ବ୍ଲକ ଗସ୍ତ; ଉଦ୍‌ଘାଟନୀ ସମାରୋହରେ ଯୋଗଦେଲେ

ଲାଞ୍ଜିଗଡ଼, ୨୬।୮ (ଡି.ଏନ.ଏ.) ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍କୁଲ ପରିଦର୍ଶନ କରି ଉଦ୍‌ଘାଟନୀ ସମାରୋହରେ ଯୋଗଦେଇଛନ୍ତି । ମନ୍ତ୍ରୀ ରବିବାର ଭବାନୀପାଟଣା ଦେଇ କାଉଗୁଡାସ୍ଥିତ ବିଭାଗୀୟ ସ୍କୁଲ ପରିଦର୍ଶନ କରିଥିଲେ। ସେଠାରୁ ବାହାରି ବିଶ୍ୱନାଥପୁର ଦେଇ ଲାଞ୍ଜିଗଡ ପହଞ୍ଚତ୍ଥିଲେ। ସେଠାରେ ବିଭାଗୀୟ ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରିଥିଲେ । ପରେ ଲାଞ୍ଜିଗଡ଼ସ୍ଥିତ କୁଟିଆକନ୍ଧ ଉନ୍ନୟନ ସଂସ୍ଥା ନବନିର୍ମିତ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି, ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝି, ବିଡିଓ ମୁନିନ୍ଦ୍ର ହୋନ୍ନାଗାଙ୍କ ସମେତ ବ୍ଲକସ୍ତରୀୟ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ସେହିପରି ଦୀର୍ଘ ବର୍ଷ ହେଲା ଲାଞ୍ଜିଗଡ଼ଠାରେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ ଅଞ୍ଚଳର କୁଟିଆ କନ୍ଧମାନଙ୍କ ସାମାନ୍ୟତମ ବିକାଶ ହୋଇନାହିଁ। ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଆସୁଥିଲେ ହେଁ କାର୍ଯ୍ୟାଳୟର କର୍ମଚାରୀମାନେ କୁଟିଆକନ୍ଧ ସମ୍ପ୍ରଦାୟର ବିକାଶ ପାଇଁ ଆସୁଥିବା ଅନୁଦାନକୁ ହରିଲୁଟ୍‌ କରୁଥିବା ଅଭିଯୋଗ ହୋଇଆସୁଛି। ଏ ନେଇ ବାରମ୍ବାର ଅଭିଯୋଗ ହେଉଥିଲେ ହେଁ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ।