ଆଦିବାସୀ ପିନ୍ଧୁଛନ୍ତି ଶାଳପତ୍ରରେ ତିଆରି ମାସ୍କ

ପାପଡାହାଣ୍ଡି,୩୦ା୩,(ଡି.ଏନ୍‌.ଏ.): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ମାସ୍କ ପିନ୍ଧିବା, ବାରମ୍ବାର ହାତ ଧୋଇବା ଓ ସାମାଜିକ ଦୂରତା ରଖିବା ପାଇଁ ସବୁଠି ପ୍ରଚାର କରାଯାଉଛି। ହେଲେ ସହରୀ ଲୋକଙ୍କଠାରୁ ଅଧିକ ଗାଁ ଲୋକେ ସଚେତନ ଥିବା ନଜରକୁ ଆସିଛି। ବଜାରରେ ମାସ୍କ୍‌ର ଅଭାବ ଏବଂ ଚଢ଼ାଦର ରହିଥବା ଯୋଗୁ ଆର୍ଥିକ ସ୍ଥିତି ଭଲ ନ ଥିବା ଲୋକେ ଏହାର ବ୍ୟବହାର କରିପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ଭାଇରସ୍‌ ସହ ଲଢ଼େଇ କରିବା ପାଇଁ ଆଦିବାସୀ ଅଞ୍ଚଳର ଲୋକେ ଶାଳପତ୍ରରେ ମାସ୍କ ତିଆରି କରି ପିନ୍ଧୁଛନ୍ତି। ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ୍‌ ନାକଟିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଝାଡ଼କୁସୁମି ଗ୍ରାମରେ ଏହା ଦେଖିବାକୁ ମିଳିଛି। ନିକଟ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଏଠାରେ ଛୋଟ ଛୁଆଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଏହି ମାସ୍କ ବ୍ୟବହାର କରୁଛନ୍ତି। ଆଶା, ଅଙ୍ଗନଓ୍ବାଡ଼ି କର୍ମୀ ଏବଂ ବାଇକ ଚାଳକମାନେ ବଜାରରେ ମିଳୁଥିବା ମାସ୍କ ପିନ୍ଧୁଥିବାବେଳେ ଏମାନେ ମଧ୍ୟ ନିଜକୁ ଏବଂ ଗ୍ରାମକୁ ଭୂତାଣୁ କବଳରୁ ରକ୍ଷା କରିବା ପାଇଁ ଏପରି ପନ୍ଥା ଆପଣାଇଥିବା କହିଛନ୍ତି।