ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣା : ପୋଲିସକୁ ତଥ୍ୟ ମାଗିଲେ ଶ୍ରମ ଅଧିକାରୀ

ପୁରୀ ଅଫିସ, ୯।୮: ରଥଯାତ୍ରା ସମୟରେ ଗତ ଜୁଲାଇ ୮ତାରିଖ ରାତିରେ ପୁରୀ ବସ୍‌ଷ୍ଟାଣ୍ଡରେ ଏକ ଯାତ୍ରୀବାହୀ ବସ୍‌ରେ ଜଣେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ କୁମ୍ଭାରପଡ଼ା ଥାନା ପୋଲିସ ସମ୍ପୃକ୍ତ ବସ୍‌ ହେଲ୍‌ପରଙ୍କୁ ଗିରଫ କରିଛି। ତେବେ ପୋଲିସକୁ ବୟାନ ଦେବା ବେଳେ ନାବାଳିକା ଜଣଙ୍କ ଏକ ୱାଟର ପାର୍କରେ କାମ କରୁଥିବା କହିଥିଲେ। ଏହାକୁ ଭିତ୍ତିକରି ସିଡବ୍ଲ୍ୟୁସି ଜିଲା ଶ୍ରମ ଅଧିକାରୀଙ୍କୁ ରିପୋର୍ଟ ମାଗିଥିଲା। ତେଣୁ ଜିଲା ଶ୍ରମ ଅଧିକାରୀ ନାବାଳିକା କାମ କରୁଥିବା ୱାର୍ଟର ପାର୍କ ଏବଂ ଭୁବନେଶ୍ୱରର ଏକ ଆଉଟ୍‌ ସୋର୍ସିଂ ସଂସ୍ଥା (ସମ୍ପୃକ୍ତା ନାବାଳିକାଙ୍କୁ ଆଣି ୱାର୍ଟର ପାର୍କରେ ନିଯୁକ୍ତି ଦେଇଥିବା ସଂସ୍ଥା)ମୁଖ୍ୟଙ୍କୁ ନୋଟିସ ଜାରି କରିଥିଲେ। ଶିଶୁ କିଶୋର ଶ୍ରମିକ ନିରାକରଣ ଆଇନ ଅନୁଯାୟୀ ଏହି ନୋଟିସ ଜାରି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୱାର୍ଟର ପାର୍କ କର୍ତ୍ତୃପକ୍ଷ ଜବାବ ଦାଖଲ କରିସାରିଛନ୍ତି। କିନ୍ତୁ ଆଉଟ୍‌ ସୋର୍ସିଂ ସଂସ୍ଥା ମୁଖ୍ୟ ଜବାବ ଦେଇନାହାନ୍ତି। ତେଣୁ ଜିଲା ଶ୍ରମ ଅଧିକାରୀ ଅଭିଯୋଗର ନକଲ, ନାବାଳିକାଙ୍କ ବୟାନ ଏବଂ ବୟସ ସମ୍ପର୍କିତ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର କୁମ୍ଭାରପଡ଼ା ଥାନା ପୋଲିସକୁ ରିପୋର୍ଟ ମାଗିଥିବା ଜଣାପଡ଼ିଛି।