ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ,ସ୍ଥାୟୀ କୋଠା ଦାବି: ରାସ୍ତାକୁ ଓହ୍ଲାଇଲେ ଛାତ୍ରୀଛାତ୍ର,ଅଭିଭାବକ

ବିଷମକଟକ, ୧୯।୮- ରାୟଗଡା ଜିଲା ବିଷମକଟକ ବ୍ଳକ ଅନ୍ତର୍ଗତ ଦୁର୍ଗୀଠାରେ ଥିବା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ଏବଂ ସ୍ଥାୟୀ କୋଠା ଦାବି କରି ଛାତ୍ରୀଛାତ୍ର ଓ ଅଭିଭାବକ ରାଜରାସ୍ତାକୁ ଓହ୍ଲାଇଛନ୍ତ। ଛାତ୍ରୀଛାତ୍ର ଓ ଅଭିଭାବକ ବିଦ୍ୟାଳୟ ନୂତନ କୋଠା ସମ୍ମୁଖରେ ଧାରଣାରେ ବସିଥିଲେ । ଖବରପାଇ ବ୍ଲକ ଶିକ୍ଷାଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ ବୁଝାଶୁଝା କରିବା ପରେ ଧାରଣା ହଟିଥିଲା ।
ଦୁର୍ଗୀଠାରେ ଆଦର୍ଶ ବିଦ୍ୟାଳୟର ନୂତନ କୋଠା ନିର୍ମାଣ ଚାଲିଛି । ଗତ ଶିକ୍ଷା ବର୍ଷରେ ଉକ୍ତ ବିଦ୍ୟାଳୟ ଅସ୍ଥାୟୀ କୋଠାରେ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଅଷ୍ଟମ ଶ୍ରେଣୀ ନିମନ୍ତେ ମଧ୍ୟ ଆବେଦନପତ୍ର ଗ୍ରହଣ କରାଯାଇଛି । ବର୍ତ୍ତମାନ ୨୩୦ ଛାତ୍ରୀଛାତ୍ର ଦୁର୍ଗୀ ଗ୍ରାମର ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହରେ ପଢୁଛନ୍ତି । ଛାତ୍ରୀଛାତ୍ରଙ୍କ ତୁଳନାରେ ଶ୍ରେଣୀଗୃହ ଛୋଟ ହୋଇଥିବାରୁ ପିଲାମାନେ ପାଠ ପଢିବାରେ ବହୁ ଅସୁବିଧା ଭୋଗୁଛନ୍ତି । ଏଥିସହିତ ଏତେଗୁଡାଏ ଛାତ୍ରୀଛାତ୍ରଙ୍କୁ ପଢାଇବା ନିମନ୍ତେ ଶିକ୍ଷକଙ୍କ ମଧ୍ୟ ଅଭାବ ରହିଛି । ବିଦ୍ୟାଳୟରେ ଅଧ୍ୟକ୍ଷ ଙ୍କୁ ମିଶାଇ ୫ଜଣ ଶିକ୍ଷକ ରହିଛନ୍ତି। ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି । ଛାତ୍ରୀଛାତ୍ର ଦୂର ଦୂରାନ୍ତର ର ଆସୁଥିବା ବେଳେ ଶିକ୍ଷକ ଅଭାବରୁ ନିରାଶ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ହେଉନାହିଁ । ତେଣୁ ବାଧ୍ୟ ହୋଇ ଆମେ ରାଜରାସ୍ତାଙ୍କୁ ଓହ୍ଲାଇଲୁ ବୋଲି ଅଭିଭାବକ ପ୍ରକାଶ କରିଛନ୍ତି । ଖବରପାଇ ବ୍ଳକ ଶିକ୍ଷା ଅଧିକାରୀ ଜୟଚନ୍ଦ୍ର ପାଠୀ ଘଟଣାସ୍ଥଳରେ ପହଞ୍ଚତ୍ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ନୂତନ କୋଠା ବୁଲି ଦେଖିଥିଲେ। ବୁଧବାରଠାରୁ ନୂତନ କୋଠାରେ ପାଠ୍ୟକ୍ରମ ଆରମ୍ଭ ହେବ। ଯଥାଶୀଘ୍ର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ । ପରେ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଫେରିଥିଲେ।