ଆଦର୍ଶ ଜୀବନ

ଡ. ଶରତ ଚନ୍ଦ୍ର ପରିଡ଼ା

ଆଦର୍ଶ କହିଲେ ଏକ ନିର୍ଦ୍ଦିଷ୍ଟ ଅବସ୍ଥାରେ ଯାହା ସର୍ବୋତ୍କୃଷ୍ଟ, ସର୍ବୋତ୍ତମ ବା ଶ୍ରେଷ୍ଠ। ଏହା ଦୋଷରହିତ ଓ ଅତୁଳନୀୟ। ଏହା ବ୍ୟକ୍ତି, ସ୍ଥାନ, ଦ୍ରବ୍ୟ, ଏକ ଭାବଜଗତ, ଏକ ପଦ୍ଧତି, ଏକ ଧାରଣା ବା ଏକ ନୀତି ହୋଇପାରେ। କେତେବେଳେ ସ୍ବପ୍ନ ବା କାଳ୍ପନିକ ଅବସ୍ଥା ବି ହୋଇପାରେ। ଶ୍ରେଷ୍ଠତାର ଧାରଣରୁ ସେହିପରି ହେବାର ଏକ ଆଶା ବା ଆକାଂକ୍ଷା ମନରେ ଜନ୍ମ ନିଏ। ପରିଣାମରେ ଏହାକୁ ହାସଲ କରିବାକୁ ଚେଷ୍ଟା କରାଯାଇଥାଏ। ସୁତରାଂ ଏକ ଶ୍ରେଷ୍ଠ ବ୍ୟକ୍ତି ବା ବିଷୟକୁ ଅନୁକରଣ କରିବା ହେଉଛି ଆଦର୍ଶ। ଆଦର୍ଶର ମୌଳିକ ଅର୍ଥ ନ ବଦଳିଲେ ମଧ୍ୟ ପ୍ରସଙ୍ଗଭିତ୍ତିରେ ଆଦର୍ଶ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ। ଏଇ ଯେମିତି ଆଦର୍ଶ ରାଷ୍ଟ୍ର, ଆଦର୍ଶ ସମାଜ, ଆଦର୍ଶ ବିଦ୍ୟାଳୟ- ଏ ସବୁ। ସମାଜର ବିଭିନ୍ନ କ୍ଷେତ୍ରରେ ଆଦର୍ଶସ୍ଥାନୀୟ ଓ ଅନୁକରଣୀୟ ବ୍ୟକ୍ତି ଅଛନ୍ତି। ସତ୍ୟବାଦିତା, କଷ୍ଟସହିଷ୍ଣୁତା, ବୀରତ୍ୱ ଆଦି ବିଭିନ୍ନ ଆଦର୍ଶ ଗୁଣର ଚମତ୍କାରତା ମଧ୍ୟ ରହିଛି। ରାମାୟଣ ଆଦର୍ଶ ଚରିତ୍ରର ଖଣି। ବିଜ୍ଞାନକ୍ଷେତ୍ରରେ ଆଦର୍ଶ ହେଉଛି ଏକ ମାନବିନ୍ଦୁ ଯାହା ସହିତ ବୈଜ୍ଞାନିକ ପରୀକ୍ଷାଗୁଡ଼ିକର ପରିମାପ କରାଯାଇଥାଏ। କଳା ଓ ଭାସ୍କର୍ଯ୍ୟରେ ଆଦର୍ଶ ରୂପ ଓ ସୌନ୍ଦର୍ଯ୍ୟର ଅସାମାନ୍ୟ ପରିପୂର୍ଣ୍ଣତା। ଆଦର୍ଶର ଗୋଟିଏ ଅର୍ଥ ଦର୍ପଣ ବା ଆଇନା। ଦର୍ପଣରେ ଆମେ ବାହ୍ୟ ରୂପ ଦେଖୁ। ସେହିପରି ଆମ ଆଦର୍ଶରେ ଆମେ ନିଜ ଭିତରେ ଥିବା ଚିନ୍ତା ଚେତନା, ଦର୍ଶନ, ଭାବ, ଭାବନା, ରୁଚି, ଅରୁଚି, ପସନ୍ଦ ଅପସନ୍ଦ-ସର୍ବୋପରି ଆମ ବ୍ୟକ୍ତିତ୍ୱର ଏକ ପ୍ରତିଫଳିତ ଛବି ଆମେ ଅବିକଳ ଦେଖିପାରୁ। ଏହି ଦୃଷ୍ଟିରୁ ଆମ ଆଦର୍ଶ ଆମ ସ୍ବ-ପ୍ରକ୍ଷେପିତ ରୂପ। ଏହି ପ୍ରସଙ୍ଗରେ ଜେ. କୃଷ୍ଣମୂର୍ତ୍ତି କହନ୍ତି- ”ଆମେ ପ୍ରକୃତରେ ଯାହା ଆଦର୍ଶ ଆମଠାରୁ ପୂରାପୂରି ଅଲଗା ଧରଣର ନୁହେଁ। ଆଦର୍ଶ ନିଜ ଭାବନାରୁ ବାହାରି ଥାଏ। ଆଦର୍ଶ ଭାବନାର ଏକ ଅଂଶ। ଭାବନାର ବହିର୍ଭୂତ କୌଣସି ଜିନିଷ ନୁହେଁ; ଏହା ତ ହେଉଛି ଆପେ ଭାବନା।“ କରୁଥିବା କାର୍ଯ୍ୟଟି କିପରି ଠିକଣା ପଦ୍ଧତିରେ ହୋଇପାରିବ ସେଥିପାଇଁ ଆଖିଆଗରେ କିଛି ନମୁନା ରଖିବା; ଯାହାକୁ ବିଶ୍ୱାସ ଓ ଅନୁସରଣ କରି ଜଣେ ନିଜକୁ ଗଢ଼ିବାକୁ ପ୍ରୟାସ କରିଥାଏ। ଆଦର୍ଶ ହିଁ ସଫଳତାର ପ୍ରାପକ। ଆଇନାରେ କିଛି ଅସଜଡ଼ା ଦେଖିଲେ ବ୍ୟକ୍ତି ନିଜକୁ ସଜାଡ଼ି ଦେଲା ପରି ଆଦର୍ଶପନ୍ଥୀ ନିଜ କ୍ରିୟାକଳାପରେ ତ୍ରୁଟିବିଚ୍ୟୁତି ହେଲେ ଆଦର୍ଶ ନକ୍ସା ଅନୁସାରେ ତାକୁ ସଂଶୋଧନ କରିନିଏ। ଅତଏବ ଆଦର୍ଶ ପଦେ ପଦେ ରହି ନିରୀକ୍ଷଣ ଓ ମାର୍ଗ ଦର୍ଶନ କରୁଥାଏ। ଚିନ୍ତା ଓ କାର୍ଯ୍ୟ ହଲଚଲ ହେଲେ, ସ୍ଥିର କରାଇ ଦିଏ। ବୈଜ୍ଞାନିକ ଓ ଗବେଷକ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏ.ପି.ଜେ ଅବଦୁଲ କଲାମ ଯାହାଙ୍କ ଆଦର୍ଶ ସେ ଗବେଷଣାରେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଶ୍ରବଣକୁମାର ଯାହାଙ୍କ ଆଦର୍ଶ ସେ କେବେ ମାତାପିତାଙ୍କୁ ଅବହେଳା କରିପାରନ୍ତି ନାହିଁ। ମହାତ୍ମା ଗାନ୍ଧୀ ଯାହାଙ୍କ ଆଦର୍ଶ ସେ ସତ୍ୟବାଦିତାରୁ କେବେ ଓହରି ଯାଆନ୍ତି ନାହିଁ। ମଦର ଟେରେସା ଯାହାଙ୍କ ଆଦର୍ଶ ସେ ରୋଗୀସେବାରୁ କେବେ ପଛକୁ ହଟନ୍ତି ନାହିଁ। ଆଦର୍ଶ ଅପୂର୍ବ ଇଚ୍ଛାଶକ୍ତି, କ୍ରିୟାଶକ୍ତି ଭରି ଦେଇ ନିରନ୍ତର ସଫଳତା ଆଡ଼କୁ ବାଟ ଫିଟାଏ। କର୍ମ ପଛରେ ଥିବା ଆଦର୍ଶ ହିଁ ଆଦର୍ଶବାନ୍‌ ବ୍ୟକ୍ତିଙ୍କ ଜୀବନରେ ସଫଳ କରାଇଥାଏ।
ଆଦର୍ଶ ବିହୀନ ଜୀବନ ଜୀବନ ନୁହେଁ। ଆଦର୍ଶର ଛୁଆଁରେ ବ୍ୟକ୍ତି ଶୀର୍ଷସ୍ଥାନକୁ ଛୁଇଁପାରେ। ଆଦର୍ଶର ବାସ୍ନାରେ ବ୍ୟକ୍ତି ମହକି ଉଠେ। ଆଦର୍ଶରୁ ଝରେ ଅଦ୍ଭୁତ କର୍ମପ୍ରେରଣା। ବ୍ୟକ୍ତି ଭିତରେ ଏତେ ଶକ୍ତିର ଉତ୍ସ ଓ ସାମର୍ଥ୍ୟ ରହିଛି ବୋଲି ଆଦର୍ଶ ତାକୁ ଅନୁଭବ କରାଇ ଆତ୍ମସଚେତନ କରେ। ଯୋଗ୍ୟତାକୁ ଦକ୍ଷତାରେ ପରିଣତ କରେ। ବ୍ୟକ୍ତିକୁ ସକାରାତ୍ମକ ଓ ସୃଜନଶୀଳ କରାଏ। ଜୀବନକୁ ପରିଚାଳନା କରିବାରେ ଶ୍ରେଷ୍ଠତା ଲାଭ କରି ପାରିଥାଏ।
କେବଳ ଉଚ୍ଚ ଆଦର୍ଶରେ ଅନୁପ୍ରାଣିତ ହେଲେ ଚଳିବ ନାହିଁ। ଆଦର୍ଶ ପ୍ରତି ଅନୁରକ୍ତି ରହିବା ସହିତ କାର୍ଯ୍ୟପ୍ରୀତି ରହିବା ଦରକାର। ମନପ୍ରାଣ ସମର୍ପିତ ହୋଇ ଆଦର୍ଶକୁ ସୋପାନ ପରେ ସୋପାନ ଆଚରଣରେ ପରିଣତ କଲେ ଭିତରେ ଥିବା ପ୍ରତିଭାର ଉନ୍ମେଷ ଘଟେ। ଏହାର ଅନ୍ୟ ନାମ ସାଧନା। କର୍ମଠର ପ୍ରଗତି ସୁନିଶ୍ଚିତ। ଠିକ୍‌ ସମୟରେ, ଠିକ୍‌ ପଦ୍ଧତିରେ ଆଦର୍ଶକୁ କାର୍ଯ୍ୟରେ ପରିଣତ କଲେ କି ନାହିଁ ତାହା ଆମର ସିଦ୍ଧି ବା ସଫଳତା କହିଦିଏ। ବଡ଼ଲୋକମାନେ କିଛି ଭିନ୍ନ କାମ କରି ନ ଥା’ନ୍ତି, ସେମାନେ ଭିନ୍ନ ଢଙ୍ଗରେ କାର୍ଯ୍ୟଟି କରିଥାନ୍ତି। ଶାରୀରିକ, ମାନସିକ ଓ ନୈତିକ କ୍ଷେତ୍ରରେ ଥିବା ଆଦର୍ଶ ଗ୍ରହଣୀୟ କିନ୍ତୁ ମିଛ ଆଦର୍ଶ ବର୍ଜନୀୟ। ନିଜର ଶକ୍ତି, ସାମର୍ଥ୍ୟକୁ ଦେଖି ଆଦର୍ଶରେ ଦୀକ୍ଷିତ ହେବା ଉଚିତ। କେତେକ ଆଦର୍ଶ ଆମର ଆୟ ବାହାରେ; ସେପରି ମିଛ ଆଦର୍ଶକୁ ଆପଣେଇବା ବିପଜ୍ଜନକ। ଆଦର୍ଶ ଆମର ବିକାଶ ପାଇଁ ଉଦ୍ଦିଷ୍ଟ ବିନାଶ ଲାଗି ନୁହେଁ। ଆମେ ପ୍ରକୃତରେ ଯାହା, ତାହା ବୁଝିବା ଲୋଡ଼ା। ସବୁ ଚେଷ୍ଟା ସତ୍ତ୍ୱେ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସଫଳତା ନ ମିଳିଲେ ବିକଳ୍ପ ବରଣୀୟ। ପ୍ରାଣ ହରଣୀୟ ନୁହେଁ। ବାଟ ଅସୁମାରି। ପୃଥିବୀ ବିଶାଳ ଓ ଜୀବନ ଲମ୍ବ। ଅତଏବ ମିଛ ଆଦର୍ଶ ପଛରେ ନ ଗୋଡ଼ାଇବା ଶ୍ରେୟସ୍କର।
ମୋ-୭୦୦୮୪୭୫୪୪୨


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଷ୍ଠା ଓ ପ୍ରତିବଦ୍ଧତା ସଫଳତା ଆଣେ, ଯାହା ପ୍ରମାଣ କରିପାରିଛନ୍ତି ଉତ୍ତରାଖଣ୍ଡର ସୁଶାନ୍ତ ୟୁନିଆଲ ଏବଂ ତାଙ୍କ ଭାଇ। ଦୁଇ ଭାଇ ସବୁଠୁ ବଡ଼ ଛତୁ ଛତ୍ପାଦନ…

ଡିଜିଟାଲ ଗଣମାଧ୍ୟମ ଓ ଶିଶୁ

ନିକଟରେ ବିଶ୍ୱର ପ୍ରଥମ ଦେଶ ରୂପେ ଅଷ୍ଟ୍ରେଲିଆ ଆଇନ କରିଛି ୧୬ ବର୍ଷରୁ କମ୍‌ ବୟସ୍କ ପିଲାଙ୍କ ପାଇଁ ୧୦ ବଡ଼ ବଡ଼ ଡିଜିଟାଲ ଗଣମାଧ୍ୟମକୁ ନିଷିଦ୍ଧ…

ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ

ସମ୍ପ୍ରତି ବାୟୁ ପ୍ରଦୂଷଣ ଏକ ଜଟିଳ, ବୈଶ୍ୱିକ ଜରୁରିକାଳୀନ ପରିସ୍ଥିତି ପାଲଟିଛି। ଭାରତ ପରିପ୍ରେକ୍ଷୀରେ ଏହା ସ୍ବାସ୍ଥ୍ୟ ନିମନ୍ତେ ପରିବେଶୀୟ ବିପଦ ଭାବରେ ଉଭା ହୋଇଛି। ନିକଟରେ…

ଆଇସ୍‌କ୍ରିମ୍‌ ଖାଇଲେ

କଟକ ଜିଲା ବାଙ୍କୀ ତହସିଲ ଅନ୍ତର୍ଗତ କୁମୁସର ଗାଁରେ ୯ ଫେବୃଆରୀରେ ଅନୁଷ୍ଠିତ ଏକ ଅଷ୍ଟପ୍ରହରୀ କାର୍ଯ୍ୟକ୍ରମରେ ଆଇସ୍‌କ୍ରିମ ଖାଇ ୧୮ ଜଣ ପିଲା ଅସୁସ୍ଥ ହୋଇଥିବା…

ଏଇ ଭାରତରେ

ଅଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଏକ ଟିମର ବର୍ଜ୍ୟପରିଚାଳନା ଅତ୍ୟନ୍ତ ପ୍ରଶଂସନୀୟ। କର୍ନାଟକ ବେଙ୍ଗାଲୁରୁ ନିକଟରେ ଥିବା ବିଲାପୁରା ଗାଁକୁ ସମ୍ପୂର୍ଣ୍ଣ ବର୍ଜ୍ୟମୁକ୍ତ କରାଯାଇପାରିଛି। ଦେଖିବାକୁ ଗଲେ…

ଦୁଃଖ ଖୋଜୁଥିବା ମଣିଷ

କିଛି ଏମିତି ଅଜବ ଲୋକ ଅଛନ୍ତି, ଆପଣ ବି ଭେଟିଥିବେ କେଉଁଠି କେତେବେଳେ। ଜଞ୍ଜାଳମୁକ୍ତ ହୋଇ ପରିବାରକୁ ନେଇ ନିଜ ଭିତରେ ସୁଖୀ ଥିବା ମଣିଷଟି ସମସ୍ତଙ୍କୁ…

ଉଠିବା ଦରକାର, ଉଡ଼ିବା ପଛକଥା

ପ୍ରଥମ ବିଶ୍ୱଯୁଦ୍ଧ ସମୟର ଇଟାଲୀୟ ଆମ୍ବୁଲାନ୍ସ ଚାଳକ, ପରବର୍ତ୍ତୀ ସମୟରେ ଗୁରୁତର ଆହତ ଅର୍ନେଷ୍ଟ ହେମିଂୱେଙ୍କ କଥା ଆଜି ବି ପାସୋରି ପାରି ନାହାନ୍ତି ଅର୍ଥନୈତିକ ବିଶାରଦଗଣ।…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri