Categories: ଜାତୀୟ

ଆତଙ୍କବାଦୀ ଶିବିରକୁ ସେନାର ଟାର୍ଗେଟ

ନୂଆଦିଲ୍ଲୀ,୧୧ା୪: ଘାତକ ମହାମାରୀ କରୋନା ବିରୋଧରେ ଦେଶବାସୀ ଲଢ଼େଇ କରୁଥିବାବେଳେ ପାକିସ୍ତାନୀ ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଉଦ୍ୟମ ମହଙ୍ଗା ପଡ଼ିଛି। ଭାରତୀୟ ସେନା ଶୁକ୍ରବାର ଜମ୍ମୁ-କଶ୍ମୀରର କୁପଓ୍ବାଡ଼ା ଜିଲା ସଂଲଗ୍ନ ନିୟନ୍ତ୍ରଣରେଖା(ଏଲ୍‌ଓସି)ରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି। ଏଥିରେ କେରାନ ସେକ୍ଟରସ୍ଥିତ ଏକାଧିକ ଲଞ୍ଚ୍‌ପ୍ୟାଡ୍‌ ଓ ଅସ୍ତ୍ରଶସ୍ତ୍ର ମହଜୁଦ ସ୍ଥାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ତେବେ ସେନାର ଏହି ଜବାବୀ କାର୍ଯ୍ୟାନୁଷ୍ଠାନରେ କେତେ ଆତଙ୍କବାଦୀ ନିହତ ହୋଇଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ।
କେରାନ ସଂଲଗ୍ନ ଏଲ୍‌ଓସିରେ ଗତ ଶନିବାର ଆତଙ୍କବାଦୀମାନେ ଅନୁପ୍ରବେଶ ଉଦ୍ୟମ କରିଥିଲେ। ଦୁଇଦିନ ଧରି ଚାଲିଥିବା ଗୁଳି ବିନିମୟ ବେଳେ ୯ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ଗୁଳିମାଡ଼ରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌)ର ୫ ଯବାନ ଶହୀଦ ହୋଇଥିଲେ। ଇତିମଧ୍ୟରେ ପାକିସ୍ତାନୀ ସେନା ମଧ୍ୟ ଗୁଳିଗୋଳା ବର୍ଷଣ ଜାରି ରଖି ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା। ଏହାର ଜବାବ ଦେବାକୁ ଯାଇ ଭାରତୀୟ ସେନା ଶୁକ୍ରବାର ସକାଳେ ଆତଙ୍କବାଦୀଙ୍କ ଶିବିର ଉପରେ ଗୁଳିବର୍ଷା ଓ ମୋର୍ଟାର ମାଡ଼ କରିଛି। ଏଥିରେ ଅନୂ୍ୟନ ଗୋଟିଏ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଯାଇଛି।

Share